ତହସିଲ ଅଫିସ୍‌କୁ ଜାଳିଦେଲେ ଯୁବକ

ରେଙ୍ଗାଲି: ଜମିଜମା କାମର ସମାଧାନ ଲାଗି ବାରମ୍ବାର ଦୌଡ଼ିବା ପରେ ମଧ୍ୟ ସମାଧାନ ନ ହେବାରୁ ଶେଷରେ ତହସିଲ ଅଫିସ୍‌କୁ ଜାଳିଦେଲେ ଯୁବକ। ରାଜୀବ କିଷାନ ନାମକ ଏହି ଯୁବକ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସକୁ ଜାଳି ଦେଇଛନ୍ତି। 

ରାଜୀବ ସକାଳ ୧୦ଟା ପୂର୍ବରୁ ତହସିଲ ଅଫିସକୁ ଆସି ଗୋଟିଏ ଟାୟାର ଜାଳି ରେକର୍ଡ ରୁମକୁ ଫିଙ୍ଗି ଦେଇଥିଲେ। ଏହାପରେ ରେକର୍ଡ ରୁମ୍ ଓ କମ୍ପ୍ୟୁଟର ରୁମ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ଫଳରେ ରେକର୍ଡ ରୁମରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି।ଏହାସହ ଆସବାବପତ୍ର ମଧ୍ୟ ଜଳି ଯାଇଛି।

ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

ଏହି ଘଟଣାରେ ପୋଲିସ ରାଜୀବଙ୍କୁ ଗିରଫ କରିଛି। ଏନେଇ ସେ କହିଛନ୍ତି, ତହସିଲ ଅଫିସ ଜରିଆରେ ତାଙ୍କର ଗୋଟିଏ ଜମି ହଡ଼ପ ହୋଇଥିଲା। ଏହାର ସମାଧାନ ଲାଗି ସେ ବାରମ୍ବାର ତହସିଲ ଅଫିସକୁ ଆସିଥିଲେ। ହେଲେ କେହି ତାଙ୍କ କଥା ଶୁଣିନଥିଲେ।

You might also like