ବଢୁଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ୭ରୁ ୧୦ ଦିନ ଭିତରେ ଫାଇନାଲ୍ ତଦନ୍ତ ରିପୋର୍ଟ ଦେବ କଟକ ପୁଲିସ

କଟକ : ବଢୁଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ। ମହିଳା ସାମ୍ବାଦିକାଙ୍କୁ ସାଂସଦ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମିଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ମାମଲାରେ ଆସନ୍ତା ୭ରୁ ୧୦ ଦିନ ଭିତରେ ଫାଇନାଲ୍ ରିପୋର୍ଟ ଦାଖଲ କରିବ କଟକ ପୁଲିସ। ଏ ନେଇ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ ଡିସିପି।

ଆହୁରି ମଧ୍ୟ କହିଛନ୍ତି, ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ସିସିଟିଭି ଫୁଟେଜ୍‌ର ବି ଯାଞ୍ଚ ଚାଲିଛି। ଗତକାଲି JMFC କୋର୍ଟରେ ଧାରା ୧୬୪ ଅନୁସାରେ ମଧ୍ୟ ଅଭିଯୋଗକାରିଣୀ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ ସରିଥିବା କହିଛନ୍ତି ଡିସିପି।

ସେପଟେ ମାମଲାକୁ ଅତ୍ୟନ୍ତ ଜରୁରୀ ଭିତ୍ତିରେ ଗ୍ରହଣ କରିବାକୁ ପୁଲିସ ଡିଜି ଓ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ।

ସେପଟେ ଘଟଣା ଅଧିକ ବିବାଦୀୟ ହୋଇଛି, ପୀଡ଼ିତା ଆଣିଥିବା ନୂଆ ଅଭିଯୋଗକୁ ନେଇ। ଗୋଟିଏ ପଟେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାବେଳେ ଅନ୍ୟପଟେ ସେ ଦେଇଥିବା ଏତଲା କପି ଓ ରିସିଭିଂ କପି ଭିତରେ ତାଳମେଳ ନାହିଁ।

ଏହା କିଭଳି ସମ୍ଭବ ବୋଲି ଅଭିଯୋଗକାରିଣୀ ପ୍ରଶ୍ନ କରିଥିବାବେଳେ, ସାସଂଦଙ୍କ ଚାପ ଓ ରାଜନୈତିକ ଷଡ଼ଯନ୍ତ୍ରରେ ପୁଲିସ ଏଭଳି ଲେଖିଥିବା ସେ ଅଭିଯୋଗ କରିଛନ୍ତି। ଏମିତିକି ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ସହ କଟକର ଅନେକ ପ୍ରଶାସନିକ ଅଧିକାରୀଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିବା ମଧ୍ୟ କହିଛନ୍ତି ସସ୍ମିତା।

ଏ ମାମଲା ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି। ତେବେ ଗୋଟିଏ ପଟେ ପୀଡ଼ିତା ମହିଳାଙ୍କ ବାରମ୍ବାର ନ୍ୟାୟ ପାଇଁ ଗୁହାରୀ, ଅନ୍ୟପଟେ ପୁଲିସ୍‌ର ତଦନ୍ତ, ୟା ଭିତରେ ଏବେ ଅପେକ୍ଷା ପୁଲିସର ଫାଇନାଲ୍ ତଦନ୍ତ ରିପୋର୍ଟରେ କେଉଁ ସବୁ ତଥ୍ୟ ପଦାକୁ ଆସୁଛି।

You might also like