ନାବାଳିକା ଦୁଷ୍କର୍ମ, କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ କମ୍ପିଲା ଗୃହ
ଭୁବନେଶ୍ୱର:ବିଧାନସଭାର ଶୂନ୍ୟକାଳରେ ଆଜି କଣ୍ଟାବାଞ୍ଜିରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଦୁଷ୍କର୍ମ ଉଦ୍ୟମ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ବି ପୋଲିସ ମାମଲା ରୁଜୁ କରି ନ ଥିବା ସେ ଅଭିଯୋଗ ଉଠାଇଛନ୍ତି।
ସେ କହିଛନ୍ତି, ସରକାର ଏ ପ୍ରସଙ୍ଗରେ ଗୃହରେ ବୁଲେଇ ବଙ୍କେଇ ତଥ୍ୟ ଦେଉଛନ୍ତି। ଭୁଲ ତଥ୍ୟ ଦେଉଛନ୍ତି ଏବଂ ବାଚସ୍ପତି ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସାଲୁଜା ଅଭିଯୋଗ ଆଣିଛନ୍ତି ।
ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ନେଇ ମଧ୍ୟ ଆଜି ଗୃହରେ ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନଦେଇ ଆଉଟସୋର୍ସିଂ କାହିଁକି କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ସଂପୃକ୍ତ ସଂସ୍ଥା କମିଶନ ରଖି ମାଲେମାଲ ହେଉଛି ।
ଏପରି କରି ସରକାର ଝିଣ୍ଟିକା ମାରି ବଣି ପୋଷୁଛନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ। ତା ଛଡ଼ା ବେକାର କମ୍ପ୍ୟୁଟର ଶିକ୍ଷକ ଖରାପ ରାସ୍ତାରେ ଯିବା ଆଶଙ୍କା ଥିବା କଥା କହିଥିଲେ ବିରୋଧୀଦଳ ନେତା ।
ସେପଟେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସ ଛାତ ଭୁଶୁଡ଼ିବା ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ନୂଆ କୋଠା କାହିଁକି ଭାଙ୍ଗିଲା ସେ ନେଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।