କାମ କରୁନି ଚେକ୍‌ଡ୍ୟାମ୍‌, ପାଣି ପାଉନଥିବାରୁ ଚାଷୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

ଚେକ୍ ଡ୍ୟାମ ନିର୍ମାଣରେ ଅନିୟମିତତା ଅଭିଯୋଗ

  • କାମରେ ଆସୁନି ଦକ୍ଷିଣନରସିଂହପୁରର ଚେକ୍ ଡ୍ୟାମ୍
  • ନଦୀ ପାଖରେ ଜମି ଥିଲେ ବି ମିଳୁନି ପାଣି
  • ଚେକ୍ ଡ୍ୟାମ ନିର୍ମାଣରେ ଅନିୟମିତତା ଅଭିଯୋଗ
  • ତଦନ୍ତ ନିର୍ଦ୍ଦେଶ ଦେଲେ ନୀଳଗିରି ଉପଜିଲ୍ଲାପାଳ

ବାଲେଶ୍ୱର: ନଈ କଡ଼ରେ ଚାଷଜମି , ହେଲେ ଜମି ଫାଟି ଆଁ କଲାଣି। ନଇ ପାଣିକୁ ଚେକ ଡ୍ୟାମ ଦ୍ୱାରା ଅଟକାଇ ଚାଷ କାମରେ ବ୍ୟବହାର ପାଇଁ ସରକାରୀ ଯୋଜନା ହୋଇଛି, ହେଲେ କଣ୍ଟ୍ରାକ୍ଟର ଓ ଅସାଧୁ ଅଫିସରଙ୍କ ଅସାବଧାନତାରୁ ସବୁ ଫସର ଫାଟିଛି। ଚାଷ ଜମିକୁ ମାଣି ନମିଳିବାରୁ ଏବେ ଚାଷ ପ୍ରତି ଲୋକେ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ।

ସେପଟେ ଚାଷୀମାନେ ଅଭିଯୋଗ କରିଛନ୍ତି, ଆମେ ପୂର୍ବରୁ ସଠିକ୍‌ ଭାବରେ ପାଣି ପାଉନଥିଲୁ। ତେଣୁ ଅନେକ ଗୁହାରି ପରେ ସରକାର ଏଠାରେ ଚେକ୍‌ ଡ୍ୟାମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ମାନେ ଜମିକୁ ପାଣି ପାଇବୁ ବୋଲି ଆଶା କରିଥିଲୁ। କିନ୍ତୁ ସବୁ ଆଶା ଆଶାରେ ରହିଗଲା। ସରକାରଙ୍କ ଯୋଜନା ବହୁତ ଭଲ କିନ୍ତୁ ପ୍ଲାନିଂ ପୂରା ଭୁଲ। ଖରାଦିନେ କଣ ବର୍ଷା ଦିନେ ବି ଆମେ ପାଣିପାଉନାହୁଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି।

ଜମିକୁ ପାଣି ସଠିକ୍‌ ଭାବରେ ଆସୁନଥିବା ଅସନ୍ତୋଷ ପ୍ରକାଶ କଲେଣି ଚାଷୀ। ଦୀପତଳ ଅନ୍ଧାର, ନଇପାଖ ଜମି ହୋଇଛି ବି ଫାଟି ଆଁ କରିଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଶ୍ଚିମତୋଟା ଅଞ୍ଚଳରେ। ଏହି ଅଞ୍ଚଳ ଦେଇ ବୋହି ଯାଇଥିବା ରାଇସିଣିଆ ନଇ ପାଣିକୁ ଅଟକାଇ ନିର୍ମାଣ ହୋଇଥିଲା ଚେକ୍ ଡ୍ୟାମ୍। ହେଲେ ନଇ ପାଖ ଜମିକୁ ପାଣି ମାଡିଲା ନାହିଁ, ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ଡ୍ୟାମ ଏବେ କେଉଁ କାମକୁ ନାହିଁ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି। ବାଧ୍ୟ ହୋଇ ଚାଷୀ ଏବେ ଚାଷରୁ ମୁହଁ ଫେରାଉଥିବା କହିଛନ୍ତି ଚାଷୀ।

କେବଳ ପଶ୍ଚିମ ତୋଟା ନୁହେଁ ଖଡ଼ିପଦାର ଦଶ ମାଣିଆ ଅଞ୍ଚଳରେ ବି ନିର୍ମାଣ ହୋଇଥିବା ଚେକ୍ ଡ୍ୟାମ କେଉଁ କାମକୁ ନୁହେଁ। ଚେକ ଡ୍ୟାମ ନିର୍ମାଣ ବେଳେ ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଏହି ସମସ୍ୟା ଭୋଗୁଥିବା କହିଛନ୍ତି। ଏ ନେଇ ଉପ-ଜିଲ୍ଲାପାଳଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗର ତଦନ୍ତ କରାଯାଇ ଚେକ ଡ୍ୟାମର ପୁନଃ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ଉପ-ଜିଲ୍ଲାପାଳ କହିଛନ୍ତି, ଚାଷୀଙ୍କୁ ପାଣି ଦେବା ଲାଗି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକ୍‌ ଡ୍ୟାମର ନିର୍ମାଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ସେଠାରୁ ପାଣି ପାଉନାହାନ୍ତି ଚାଷୀ। ଏନେଇ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦିଆଯିବ, ଯଦି କୌଣସି ସମସ୍ୟା ଅଛି ତାହାର ସମାଧାନ କରାଯିବ ଓ ଚାଷୀଙ୍କୁ ଶୀଘ୍ର ପାଣି ଦେବାର ବ୍ୟବସ୍ଥା କରାଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି।

You might also like