ଗାଧୋଉଥିବାବେଳେ ମାଡ଼ି ଆସିଲା ପାଣି, ଭାସି ଯାଉଥିଲା ଛୋଟପିଲାଟି, ଆଉ ତା’ ପରେ…

ସୁନ୍ଦରଗଡ଼(ରଞ୍ଜିତ୍ ଚୌଧୁରୀ): ଯେତେ ଅଭିଜ୍ଞ ମଣିଷ ହେଲେ ବି ବେଳେବେଳେ ବିପଦବେଳେ ବୁଦ୍ଧି ହଜିଯାଏ। ହେଲେ ଏଇ ଛୋଟ ପିଲାଟିକୁ ଦେଖନ୍ତୁ। ଜୀବନମରଣ ବେଳରେ ବୁଦ୍ଧି ଖର୍ଚ୍ଚ କରି ଧୈର୍ଯ୍ୟର ସହ ସାମ୍ନା କରିଥିଲା ଆଉ ସେଇଥି ପାଇଁ ମୃତ୍ୟୁ ମୁହଁରୁ ବଞ୍ଚି ପାରିଥିଲା।

ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗ ଥାନା କମାରପୋଷ ଗାଁର ଛୋଟ ପିଲାଟିଏ କ୍ରିଷ୍ଣା ମହାନ୍ତ । ଗତକାଲି ଗାଁର କିଛି ଯୁବକଙ୍କ ସହ ସେ ବିପାଖ  ନାଳକୁ ଗାଧୋଇବା ପାଇଁ ଯାଇଥିଲା। ଗାଧୋଇବାବେଳେ ହଠାତ ମାଡ଼ି ଆସିଥିଲା ବର୍ଷା ପାଣି।

ଦୌଡ଼ାଦୌଡ଼ି ହୋଇ ସମସ୍ତେ ସୁରକ୍ଷିତ ସ୍ଥାନକୁ ପଳାଇ ଆସିଥିଲେ। ହେଲେ ଆସି ପାରିନ ଥିଲା କ୍ରିଷ୍ଣା।  ପାଣିଘେରରେ ଫଶି ଯାଇଥିଲା। ପାଣିର ପ୍ରଖର ସୁଅ କ୍ରିଷ୍ଣାକୁ ଟାଣି ନେଉଥିଲା। ତଥାପି ଡରି ଯାଇ ନ ଥିଲା କ୍ରିଷ୍ଣା। ଭାସି ଭାସି ଯାଇ ଏକ ବୁଦାକୁ ଧରି ପକାଇଥିଲା।

ଗାଁ ଲୋକେ ଚେଷ୍ଟା କରି ମଧ୍ୟ ଉଦ୍ଧାର କରିପାରି ନ ଥିଲେ। ଶେଷରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ଆସି ଦୀର୍ଘ ଦୁଇଘଣ୍ଟା ଧରି ଚଲାଇଥିଲେ ରେସ୍‌କ୍ୟୁ ଅପରେଶନ। ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଏକ ଦଉଡ଼ି ସାହାଯ୍ୟରେ  ପାଣିଭିତରୁ କ୍ରିଷ୍ଣାକୁ ଉଦ୍ଧାର କରିପାରିଥିଲେ।

ଯଦି କ୍ରିଷ୍ଣା ସେତିକି ସାହାସ ଓ ଧୈର୍ଯ୍ୟର ସହ ପରିସ୍ଥିତିକୁ ସାମ୍ନା କରିପାରି ନ ଥାନ୍ତା ତେବେ ତାକୁ ପାଣିରୁ କୂଳକୁ ଆଣିବା ଦଳଙ୍କ ପାଇଁ ସହଜ ହୋଇ ନ ଥାନ୍ତା।

You might also like