କରୋନା ବିପତ୍ତି ସମୟରେ ବର୍ଷକ ପାଇଁ କେତେ ରହିବ ହିସାବ-କିତାବ?

ଭୁବନେଶ୍ୱର: ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ବ୍ୟୟ ବରାଦକୁ ଅନୁମୋଦନ ମିଳିଛି। କରୋନା କଷ୍ଟ ସତ୍ତ୍ୱେ ୨୦୨୦-୨୧ ଅପେକ୍ଷା ୨୧-୨୨ରେ ବଜେଟ୍‌ ଆକାର ବଢିଛି। କୋଭିଡ୍‌ରେ ହଜାର ହଜାର ଲୋକ ଜୀବିକା ହରାଇଥିବାରୁ ଏଥର ଫୋକସ୍‌ରେ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ରହିବ। ଖାସ୍ ସେଥିପାଇଁ ଭିତ୍ତଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି।  ଏହାସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିପାରେ। ତାଛ଼ଡ଼ା ଶିଳ୍ପ, ଏମ୍ଏସ୍ଏମ୍ଇ, ଗ୍ରାମୀଣ ଅର୍ଥନୀତି, ସାମାଜିକ କ୍ଷେତ୍ର, ମହିଳା ସଶକ୍ତୀକରଣ, ଶିକ୍ଷା ଓ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ପଞ୍ଚାୟତରାଜ ଓ ନଗର ଉନ୍ନୟନ ବିଭାଗ ପାଇଁ କିଛି ନୂଆ ସ୍କିମ୍ ଆସିପାରେ। ସେପଟେ ଶ୍ରୀଜଗନ୍ନାଥ ଏତିହ୍ୟ କରିଡର୍, ଲିଙ୍ଗରାଜ ମନ୍ଦିର ପରାପାର୍ଶ୍ୱିକ ବିକାଶ ଓ ଅନ୍ୟ ମନ୍ଦିରର ବିକାଶ ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇପାରେ। ଏହାଛଡ଼ା ଏସ୍‌ସିବି ମେଡିକାଲ କଲେଜକୁ ଏମ୍ସ ପ୍ଳସ୍ ହସପିଟାଲ୍ କରିବା ପାଇଁ ପାଣ୍ଠି ରଖାଯିବାର ସମ୍ଭାବନା ରହିଛି।

ସାମାଜିକ ମଙ୍ଗଳ ଯୋଜନା, କୃଷି କାର୍ଯ୍ୟରେ ସବୁବେଳେ ଫୋକସ୍ ରହିଛି। କେନ୍ଦ୍ରୀୟ ଆର୍ଥିକ ବ୍ୟବସ୍ଥାକୁ ନେଇ ଯେଉଁ ବଜେଟ୍‌ ହୋଇଛି, ତାହାର ପ୍ରତିକୂଳ ପ୍ରଭାବ ରହିବ। ଏହି ବଜେଟ୍‌ ନିଶ୍ଚିତ ଭାବେ ଜନକଲ୍ୟାଣ ଅଭିମୁଖୀ ହେବ।
-ଶଶିଭୂଷଣ ବେହେରା, ପୂର୍ବତନ ଅର୍ଥମନ୍ତ୍ରୀ

ଗୋଟିଏ ପଟେ କରୋନା ମାଡ଼ ଯୋଗୁ ରାଜସ୍ୱ ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନ୍ୟପଟେ ଚତୁର୍ଦ୍ଦଶ ଅର୍ଥ କମିଶନ୍ ତୁଳନାରେ ପଞ୍ଚଦଶ ଅର୍ଥ କମିଶନରେ କେନ୍ଦ୍ରୀୟ ଟିକସ ଅଂଶରୁ ରାଜ୍ୟରେ ଭାଗ ୪.୬୯୨ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ କମିଛି। କେନ୍ଦ୍ରୀୟ ଟିକସ ଅଶଂଧନ, ଗ୍ରାଣ୍ଟ-ଇନ୍-ଏଡ୍ ବାବଦରେ ରାଜ୍ୟକୁ ମିଳୁଥିବା ଅର୍ଥ ରାଜ୍ୟ ବଜେଟ୍ ୫୦ ପ୍ରତିଶତକୁ ପୂରଣ କରିଥାଏ। ତେବେ କେନ୍ଦ୍ରୀୟ ଟିକସ ଅଶଂଧନ, ଗ୍ରାଣ୍ଟ-ଇନ୍-ଏଡ୍ ବାବଦ ଅର୍ଥ କମିବାରକ ସମ୍ଭାବନା ଥିବାରୁ ରାଜ୍ୟ ବଜେଟ୍ ପ୍ରଭାବିତ ହେବାର ଆଶଙ୍କା ରହିଛି କିନ୍ତୁ ବଜେଟ୍‌ ଆକାର ବଢୁଥିବାରୁ ରାଜ୍ୟକୁ ଅଧିକ ଋଣ କରିବାକୁ ପଡିବ। ରାଜ୍ୟର ଋଣ ଭାର ପୂର୍ବରୁ ହିଁ ୧ଲକ୍ଷ କୋଟି ଉପରେ ରହିଛି।

କରୋନା ମାଡ଼ରେ ଗତ ମାର୍ଚ୍ଚରୁ ରାଜସ୍ୱ କମିଥିଲେ ବି ନଭେମ୍ବରଠାରୁ ରାଜସ୍ୱ ଆଦାୟ ଉତ୍ସାହଜନକ ରହିଛି। ପଞ୍ଚଦଶ ଅର୍ଥ କମିଶନର ସୁପାରିସ ଅନୁସାରେ ରାଜ୍ୟ କେତେ ଅର୍ଥ ପାଇବ ଏବଂ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହୋଇସାରିଥିବାରୁ କେଉଁ କ୍ଷେତ୍ରରେ ରାଜ୍ୟକୁ କେତେ ଅନୁଦାନ ମିଳିବ ତାର ସ୍ପଷ୍ଟ ଚିତ୍ର ବି ଆସିସାରିଛି। ଏସବୁକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତି ଚାଲିଛି।

ରିପୋର୍ଟ: ହରିହର ଚାନ୍ଦ

You might also like