ଚାଷୀ ଆକ୍ରୋଶରୁ ବର୍ତ୍ତିବାକୁ ସରକାରଙ୍କ ବାଟ ଖୋଜା

ଭୁବନେଶ୍ୱର: ଚାଷୀ ଅସନ୍ତୋଷ ଶାସକ ଭୋଟ୍ ବ୍ୟାଙ୍କରେ ଆଣିପାରେ ବଡ଼ ବିପର୍ଯ୍ୟୟ। ଆଉ ଖାସ୍ ସେଥିପାଇଁ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖୁସି କରିବାକୁ ସରକାର ନୂଆ ସ୍କିମ୍ ଆଣିପାରନ୍ତି। ତା’ ପୂର୍ବରୁ ଆଜି ନବନିର୍ମାଣ କୃଷକ ସଙ୍ଗଠନର ବିଭିନ୍ନ ଦାବି ନେଇ ଗଠିତ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ବସିଥିଲା। ଆସନ୍ତା ୭ରେ ଚାଷୀ ସଙ୍ଗଠନ ଓ ବିଶେଷଜ୍ଞମାନଙ୍କୁ ପ୍ରସ୍ତାବ ଦେବା ପାଇଁ ଆଉ ଏକ ବୈଠକ ଡକାଯାଇଛି। ଏହାପରେ ନୂଆ ସ୍କିମ୍ ଆସିପାରେ।

ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ କରି ଚଳିତ ମାସ ପ୍ରଥମ ସପ୍ତାହରେ ରାଜଧାନୀ ଅଭିମୁଖେ ଆସିବା ବେଳେ ପୁଲିସ୍ ସହ ମୁହାଁମୁହିଁ ହୋଇଥିଲେ ଚାଷୀ।

ତେଣୁ ନିର୍ବାଚନ ବର୍ଷରେ କାଳେ ଚାଷୀ ଭୋଟ୍‌ବ୍ୟାଙ୍କ ହାତରୁ ଖସିଯିବ, ସେ ଆଶଙ୍କାରେ ବ୍ୟାକ୍‌ଫୁଟ୍‌ରେ ଥିବା ସରକାର ଆଜି ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଡାକିଥିଲେ।

କମିଟି ଫୋକସ୍‌ରେ ରହିଛି, କୃଷି କ୍ଷେତ୍ରର ବିକାଶ ପାଇଁ ଥିବା ପ୍ରତିବନ୍ଧକ, କୃଷକ ପାଇଁ ଥିବା ସ୍କିମ୍‌ର ଅନୁଧ୍ୟାନ, ନୂଆ ସ୍କିମ୍ ପାଇଁ ସୁପାରିଶ, ଦୀର୍ଘମିଆଦୀ ଚାଷୀ କଲ୍ୟାଣ ଯୋଜନା।

ଆସନ୍ତା ୭ ତାରିଖରେ ଚାଷୀ ସଙ୍ଗଠନ ଓ ବିଶେଷଜ୍ଞମାନଙ୍କ ସହ କମିଟି ଆଲୋଚନା କରି ପରାମର୍ଶ ନେବେ। କମିଟିର ପରାମର୍ଶ ଅନୁସାରେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୂଆ ସ୍କିମ୍ ଓ ପ୍ୟାକେଜ୍ ଘୋଷଣା କରିବା ସମ୍ଭାବନା ରହିଛି। ଅନ୍ୟପଟେ ନବ ନିର୍ମାଣ କୃଷକ ସଙ୍ଗଠନ କିନ୍ତୁ ରାଜ୍ୟ ସରକାରଙ୍କ ପଦକ୍ଷେପରେ ସନ୍ତୁଷ୍ଟ ନଥିବା ଜଣା ପଡ଼ିଛି।

ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିର ବୈଠକକୁ ନେଇ ବିରୋଧୀ ବି କଡ଼ା ସମାଲୋଚନା କରିଛନ୍ତି। ଚାଷୀ ଆତ୍ମହତ୍ୟା, ଧାନର ଅଭାବୀ ବିକ୍ରି, ମରୁଡ଼ି ଅଂଚଳରେ ଠିକ୍‌ରେ ଇନ୍‌ପୁଟ୍ ସବ୍‌ସିଡି ନମିଳିବା, ଚାଷୀ ଫସଲ ବୀମାରୁ ବଞ୍ଚିତ ହେବା, ଭାଗ ଚାଷୀ ଚିହ୍ନଟ ହୋଇନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ୍ କହିଛି।

ସରକାରୀ ବ୍ୟବସ୍ଥାରେ ମନ୍ତ୍ରୀ, ସଚିବ ନୀତି ନିର୍ଦ୍ଧାରଣ କରିଥାନ୍ତି। ହେଲେ ଚାଷୀଙ୍କ ସହ ସରକାର ସିଧାସଳଖ ଆଲୋଚନା କରୁଛନ୍ତି ବୋଲି ବାର୍ତ୍ତା ଦେବାକୁ ପ୍ରଥମ ଥର ପାଇଁ ଚାଷୀ ପ୍ରତିନିଧିଙ୍କୁ ଆଲୋନାରେ ସାମିଲ୍‌ କରାଯିବ। ତେବେ ଏହା ଭୋଟ୍‌ବ୍ୟାଙ୍କ ଷ୍ଟ୍ରାଟେଜୀ ନା ଚାଷୀ ଦରଦ ତାକୁ ନେଇ ଉଠିଛି ପ୍ରଶ୍ନ।

You might also like