‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

ଭୁବନେଶ୍ୱର: ମାଗଣା କରୋନା ଟିକା ପ୍ରସଙ୍ଗ ଉଠାଇ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଟାର୍ଗେଟ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଯଦି ବିହାରରେ ମାଗଣା ଟିକା ନେଇ ବିଜେପି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛି, ତେବେ ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି? ନା ଏହା ଆଉ ଏକ ନିର୍ବାଚନୀ ଜୁମ୍‌ଲା ବୋଲି ପ୍ରଶ୍ନ କରିଛନ୍ତି।

ଓଡ଼ିଶାରେ କରୋନା ଟିକାକରଣ ଉପରେ ବିଜେପିର କଣ ରହିଛି ଆଭିମୁଖ୍ୟ, ତାହା ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଟ୍ୱିଟ୍ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ଓଡ଼ିଶାବାସୀଙ୍କ ପାଇଁ ରାଜ୍ୟ ପାଣ୍ଠିରୁ ଟିକା ଲାଗି ୫ କୋଟିର ଚୁକ୍ତି ହୋଇଛି ଏବଂ ରାଜ୍ୟ ସରକାର ସବୁ ଓଡ଼ିଶାବାସୀଙ୍କୁ ଟିକାକରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ କରିଛନ୍ତି ରଣେନ୍ଦ୍ର। ତେବେ ତାଙ୍କର ଏଭଳି ଅଭିଯୋଗ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ରଣେନ୍ଦ୍ରଙ୍କ ଅଭିଯୋଗର ଜବାବ ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ବିଷ୍ଣୁ ଟ୍ୱିଟ୍ କରି କହିଛନ୍ତି ଯେ, କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦି ହାତ ଖୋଲି ଓଡ଼ିଶାକୁ ସହାୟତା କରୁଛନ୍ତି। ଓଡ଼ିଶାକୁ ୨୨ ହଜାର କୋଟି ଓ ବାଲେଶ୍ୱର ପାଇଁ ୯୨୨ କୋଟି ଟଙ୍କା ଦେଇଥିବା ବିଷ୍ଣୁ କହିଛନ୍ତି।

ସାରା ଦେଶବାସୀଙ୍କ ଟିକାକରଣ ପାଇଁ ମୋଦି ବଡ଼ ଯୋଜନା କରିଛନ୍ତି। ସେଥିପାଇଁ ଯୋଜନାବଦ୍ଧ ପ୍ରସ୍ତୁତି ଚାଲିଛି। ତେବେ ଓଡ଼ିଶାବାସୀଙ୍କୁ ନିଜସ୍ୱ ଅର୍ଥରେ ଟିକା ଦେବା ଲାଗି ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ବୋଲି ରଣେନ୍ଦ୍ର କହିଛନ୍ତି। ତେବେ ଏହି ବୁଝାମଣାପତ୍ରର ନକଲ ସାର୍ବଜନୀନ କରିବାକୁ ବିଷ୍ଣୁ ରଣେନ୍ଦ୍ରଙ୍କୁ ଆହ୍ୱାନ ଦେଇଛନ୍ତି।

You might also like