ମୃତ୍ୟୁ ପୂର୍ବରୁ ପ୍ରଫୁଲ୍ଲ କହିଥିଲେ: ମନ୍ତ୍ରୀ ପ୍ରତାପ ଜେନା ମୋତେ ଫସାଇ ଦେଲେ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିିଛି। ମୃତ୍ୟୁ ପୂର୍ବରୁ ବିଜେପି ନେତା ରମାକାନ୍ତ ବରାଳଙ୍କୁ ପ୍ରଫୁଲ୍ଲ ବିଶ୍ୱାଳ ଫୋନ୍ କରିଥିଲେ। ଆଉ ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଫସାଇ ଦେଇଥିବା ନେଇ ରମାକାନ୍ତ ବରାଳଙ୍କୁ ଫୋନରେ ବାର୍ତ୍ତାଳାପ ବେଳେ ପ୍ରଫୁଲ୍ଲ ବିଶ୍ୱାଳ କହିଥିବା ଅଭିଯୋଗ ଆଣିଛନ୍ତି ରମାକାନ୍ତ।

ଏକଥା ଆମେ କହୁନୁ, ରମାକାନ୍ତ ଥାନାରେ ଦେଇଥିବା ଏତଲାରେ ଏଭଳି ଦର୍ଶାଇଛନ୍ତି। ଆଉ ସେହି ଏତଲା କପିରୁ ଏହା ପ୍ରମାଣିତ ହୋଇଛି। ଏତଲାରେ ସେ ଲେଖିଛନ୍ତି ଯେ, ପ୍ରଫୁଲ୍ଲଙ୍କ ମୃତଦେହ ଗତ ୬ ତାରିଖରେ ମିଳିଥିଲା। ତାପୂର୍ବଦିନ ଅର୍ଥାତ୍ ୫ ତାରିଖ ଅପରାହ୍ନ ୨ଟା ସମୟରେ ପ୍ରଫୁଲ୍ଲ, ରମାକାନ୍ତଙ୍କୁ ଫୋନ୍ କରି ଏକଥା କହିଥିଲେ, ମୋର ଏବଂ ମୋ ସାନଭାଇର ପିଲାମାନେ ତୁମକୁ ଲାଗିଲେ, ମନ୍ତ୍ରୀ ପ୍ରତାପ ଜେନା ଆମକୁ ଫସାଇଦେଲା। ତାପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ବୋଲି ରମାକାନ୍ତ ବରାଳଙ୍କୁ ପ୍ରଫୁଲ୍ଲ ଫୋନ୍ ଯୋଗେ କହିଥିଲେ। ସେହିଦିନ ରମାକାନ୍ତ ଏନେଇ ମାହାଙ୍ଗା ଥାନାରେ ଏତଲା ଦେଇଥିଲେ, ଯାହା ଓଟିଭିର ହସ୍ତଗତ ହୋଇଛି।

ରମାକାନ୍ତ ବରାଳ ହେଉଛନ୍ତି ଗତ ଜାନୁୟାରୀ ୧ ତାରିଖରେ ହତ୍ୟାର ଶୀକାର ବିଜେପି ନେତା କୁଳମଣି ବରାଳଙ୍କ ପୁଅ। ତେବେ ଏନେଇ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅନେକ ଥର ଯୋଗାଯୋଗ କରାଯାଇଥିଲେ ବି ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି। ଏପରିକି ପୋଲିସର ବି ପ୍ରତିକ୍ରିୟା ମିଳିପାରିନି।

ଜାନୁୟାରୀ ୧, ୨୦୨୧ରେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ପ୍ରାୟ ୧୩ ଜଣଙ୍କ ବିରୋଧରେ ଅଭିଯୋଗ ଆସିବା ସହ ଏତଲା ଦିଆଯାଇଥିଲା। ସେଦିନଠୁ ପ୍ରଫୁଲ୍ଲ ବିଶ୍ୱାଳ ଧରାପଡ଼ିନଥିଲା। ଫେବୃଆରୀ ୭ରେ କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ମିଳିଥିଲା।

ଘଟଣାସ୍ଥଳରୁ ବାଇକ୍ ସହ ଏକ ବ୍ୟାଗ୍ ଏବଂ ମୋବାଇଲ୍ ମିଳିଥିଲା। ହେଲେ କେମିତି ହେଲା ମୃତ୍ୟୁ ? ହତ୍ୟା ନା ଆକସ୍ମିକ ଦୁର୍ଘଟଣା ? ଏଯାଏଁ ଥଳକୂଳ ପୋଲିସ ପାଉନି। କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଖସିଯାଇଛି ବୋଲି ପୋଲିସ୍ ଆଶଙ୍କା କରୁଛି। ସେପଟେ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପ୍ରଫୁଲ୍ଲର ମୃତ୍ୟୁ ପଛରେ ବି ସିଧାସଳଖ ମାହାଙ୍ଗା ବିଧାୟକ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଂପୃକ୍ତି କଥା ବିଜେପି କହିଛି। ଅଭିଯୁକ୍ତର ମୃତଦେହ ବିଧାୟକଙ୍କ ପରିବାର ମାଲିକାନାରେ ଥିବା ଟ୍ରାନ୍ସପୋର୍ଟ ଅଫିସ ନିକଟରୁ ମିଳିଛି। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, ତେଣୁ ତଥ୍ୟ ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଛି ବୋଲି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି। କଂଗ୍ରେସ ବି ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛି।

You might also like