ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ର ଗିରଫ। ଗତକାଲି ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଥାନା ଭିତରେ ପଶି କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଦେବାଶିଷଙ୍କୁ ମହଙ୍ଗା ପଡ଼ିଛି । ପୁଅ ଗିରଫ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଚଳିତମାସ ୬ତାରିଖରେ ଘସିପୁରା ପୌର ପରିଷଦ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗାଡ଼ି ଉପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଦେବାଶିଷଙ୍କ ସହଯୋଗୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମନ୍ତ୍ରୀଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା।

ତେବେ ଏହି ଖବର ପାଇବା ପରେ ମନ୍ତ୍ରୀଙ୍କ ପୁଅ ଦେବାଶିଷ ନିଜର ସହଯୋଗୀଙ୍କ ସହ ରାମଚନ୍ଦ୍ରପୁର ଥାନାରେ ପଶି କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ ବ୍ୟକ୍ତିମାନଙ୍କୁ ଜୋର ଜବରଦସ୍ତ ଛଡ଼ାଇ ଆଣିଥିଲେ।

ଏହି ଆକ୍ରମଣରେ ଜଣେ ପୁଲିସ ସବ୍‌ଇନ୍ସପେକ୍ଟରଙ୍କ ମୁହଁ ହାଡ଼ ଭାଙ୍ଗି ଯାଇଥିଲାବେଳେ ଅନ୍ୟଜଣେ ଏଏସଆଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

You might also like