ଚିନ୍ତା ବଢ଼ାଉଛି ସୁନ୍ଦରୀ

ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀ ଅାକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆସିବାପରେ ଜଳାପୋଡ଼ା ସହ ରାସ୍ତାରୋକ ହୋଇଥିଲା। ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ ଜାରି ରହିଥିଲା। ସ୍ଥିତି ସମ୍ଭାଳିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ, ଅାଜି ଟିକିଏ ଶାନ୍ତ ହୋଇଛି ସାତକୋଶିଅା ଅଞ୍ଚଳ। ତେବେ ସୁନ୍ଦରୀକୁ ବାନ୍ଧବଗଡ଼ ଫେରାଇ ଦିଅାଯିବ କି ଏଠାରେ ହିଁ ରଖାଯିବ, ସେ ସଂକ୍ରାନ୍ତରେ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅା- WII ନିଷ୍ପତ୍ତି ନେବ ବୋଲି କହିିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

ମହିଳାଙ୍କ ମୃତ୍ୟୁ ବାଘ ଅାକ୍ରମଣରେ ହୋଇଛି କି ନାହିଁ, ପୋଷ୍ଟମର୍ଟମ ରିପୋର୍ଟ ଅାସିବା ପରେ ଯଦି ସ୍ପଷ୍ଟ ହୁଏ, ସେ ଅନୁଯାୟୀ ପଦକ୍ଷେପ ନିଅାହେବ। ସେପଟେ ଅଭୟାରଣ୍ୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତିଯେ, ଯଦି ପ୍ରଶାସନ ଜାଣି ନ ଥିଲା, ତେବେ କାହିଁକି ଏସ୍‌ପି ବାଘୁଣୀକୁ ସ୍ଥାନାନ୍ତର ନେଇ ପ୍ରତିଶ୍ରୁତି ଦେଉଥିଲେ।

ସେପଟେ ବଡ଼ ପ୍ରଶ୍ନ ବାଘୁଣୀ ସୁନ୍ଦରୀ କାହିଁକି ମଣିଷ ମାରିଲା? ସାତକୋଶିଅାରେ ଥିବା ଅନ୍ୟ ବାଘୁଣୀ ଓ କାହ୍ନାରୁ ଅାସିଥିବା ମହାବଳ ସହ ସୁନ୍ଦରୀର ଝଗଡ଼ା ହୋଇଛି କି? ପୂର୍ବରୁ ମହାବଳ ଓ ସାତକୋଶିଅା ବାଘୁଣୀର ମିଳନ ଘଟିଥିବାରୁ ସେମାନେ ସୁନ୍ଦରୀକୁ ତଡ଼ିଦେବାକୁ ଉଦ୍ୟମ କରିଛନ୍ତି କି? ବାନ୍ଧବଗଡ଼ରେ ମା ସହ ବିଚରଣ କରୁଥିବା ସୁନ୍ଦରୀ ଜଙ୍ଗଲରେ ଏକାକୀ ଶିକାର କରି ପାରୁନାହିଁ କି? ସୁନ୍ଦରୀର ଅାଚରଣ ଉପରେ ଏବେ ତୀକ୍ଷ୍ଣ ନଜର ରଖାଯାଇଛି।

ସେ ମଣିଷ ମାରିଥିବା ପ୍ରମାଣିତ ହେଲେ ନ୍ୟାସନାଲ୍ ଟାଇଗର କଞ୍ଜରଭେସନ ଅଥରିଟି- NTCAର ଗାଇଡ୍‌ଲାଇନ୍ ଅନୁଯାୟୀ ତାକୁ ଜଙ୍ଗଲରେ ରହିବାକୁ ଦିଅାଯିବ ନାହିଁ। ସେ କ୍ଷେତ୍ରରେ ସୁନ୍ଦରୀକୁ କୌଣସି ଚିଡ଼ିଆଖାନା ସ୍ଥାନାନ୍ତର କରାଯାଇପାରେ। ତେବେ ଏହା ସାତକୋଶିଅାରେ ବାଘବଂଶ ବୃଦ୍ଧି ଯୋଜନାକୁ ପ୍ରଭାବିତ କରିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି। ତେବେ ଜଙ୍ଗଲ ମନ୍ତ୍ରୀ ସ୍ପଷ୍ଚ କରିଛନ୍ତି, ସାତକୋଶିଅାରେ ଅାଗକୁ ସମ୍ଭବ ନ ହେଲେ ବାଘଙ୍କୁ ଶିମିଳିପାଳ, ସୁନାବେଡ଼ା କିମ୍ବା ଅନ୍ୟ ଅଭୟାରଣ୍ୟରେ ଛଡ଼ାଯାଇ ପାରିବ।

You might also like
Comments
Loading...