ଶୀତ ବଢ଼ିବା ସହ ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

ବ୍ରହ୍ମଗିରି: ଶୀତ ବଢ଼ିବା ସହ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପର୍ଯ୍ୟଟନ ଋତୁ ଚାଲିଥିବାରୁ ବିଦେଶୀ ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଅନ୍ୟପଟେ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଶୀତର ସ୍ପର୍ଶ ସହ ଚିଲିକାରେ ବିଦେଶୀ ପକ୍ଷୀଙ୍କ  ଭିଡ଼ ଏବେ ଦେଖିବାକୁ ମିଳିଛି। କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଶୀତ ବଢ଼ିଥିବାରୁ ପକ୍ଷୀଙ୍କ ଆଗମନ ବି ବଢ଼ିଛି। ଏଥର ବିଳମ୍ବ ହେଲେ ବି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି।

ପିନ୍‌ଟେଲ୍‌, ଫ୍ଲାମିଙ୍ଗୋ ଭଳି ବିଦେଶୀ ପକ୍ଷୀ ଚିଲିକାର ନୀଳ ଜଳ ରାଶିରେ ଭାସିଲେଣି। ପକ୍ଷୀଙ୍କୁ ଦେଖିବାକୁ ଏବେ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ଼ ବି ଲାଗିଲାଣି।

ପକ୍ଷୀ ସଂଖ୍ୟା ବଢ଼ୁ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପକ୍ଷୀ ଶିକାର ଭୟ ଥିବାରୁ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି। ଚିଲିକା ୱାଇଲ୍ଡ ଲାଇଫ୍‌ ଡିଭିଜନରେ ୨୦ଟି ସ୍କ୍ୱାଡ୍‌ ଗଠନ କରାଯାଇଛି। ନୂଆପଡ଼ା ରେଞ୍ଜର ଗୁରୁବାଇରେ ମଧ୍ୟ କ୍ୟାମ୍ପ କରି ପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।

ପର୍ଯ୍ୟଟକମାନେ ପକ୍ଷୀଙ୍କ ସମାଗମକୁ ବେଶ୍ ଉପଭୋଗ କରୁଛନ୍ତି। ଆଗକୁ ଶୀତ ବଢ଼ିବା ସହିତ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।

 

You might also like