ଡିଜିପିଙ୍କ କହିବା ସତ୍ତ୍ୱେ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଲା ଅଭାବନୀୟ ଚିତ୍ର

ସୁନ୍ଦରଗଡ଼: କୌଣସି ଶ୍ରମିକଙ୍କୁ ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ବୋଲି ପୋଲିସ ଡିଜି ଅଭୟ କହିଥିଲେ। ଏହାର ଦିନକ ପରେ ସୁନ୍ଦରଗଡ଼ରୁ ଆସିଛି ଅଭାବନୀୟ ଚିତ୍ର। ରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ନିଜ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଟେନସାର ଶ୍ରମିକମାନେ କାମ କରିବା ପାଇଁ ବିଶାଖାପାଟଣା ଯାଇଥିଲେ। ସେଠାରେ ଲକ୍‌ଡାଉନ୍ ଯୋଗୁ ଦେଢ଼ମାସ ଫସିରହିବା ପରେ ଏବେ ନିଜ ଖର୍ଚ୍ଚରେ ନିଜ ନିଜ ଗାଁକୁ ବସ୍ ଭଡ଼ା କରି ବାହାରିଥିଲେ। ହେଲେ ବସ୍‌ ଡ୍ରାଇଭର ଆଣି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଛାଡ଼ି ଫେରାର ହୋଇଗଲା।

ଟେନ୍ସା ଗାଁରେ ପହଞ୍ଚିବା ପାଇଁ ଆହୁରି ୨୨୦ କିଲୋମିଟର ଯାତ୍ରା ବାକି ଥିବାରୁ ଏବେ କାହାକୁ ଅପେକ୍ଷା ନକରି ଅବିରତ ଭାବେ ଚାଲୁଛନ୍ତି ଏହି ଶ୍ରମିକମାନେ।

 

ଅନ୍ୟପଟେ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା ବିହାରର ୧୧ ଜଣ ଶ୍ରମିକ ଜିନିଷପତ୍ର ମୁଣ୍ଡାଇ ଚାଲି ଚାଲି ପହଞ୍ଚିଛନ୍ତି ସୁନ୍ଦରଗଡ଼ର ବୀରମିତ୍ରପୁର ଅଞ୍ଚଳରେ। ପ୍ରଶାସନ ତରଫରୁ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। କେମିତି ନିଜ ଘରେ ପହଞ୍ଚିବେ, ସେହି ଗୋଟିଏ ଲକ୍ଷ୍ୟରେ ମାଡ଼ ଚାଲିଛନ୍ତି ସେମାନେ।

You might also like