ଦିଲ୍ଲୀରୁ ସ୍ୱତନ୍ତ୍ର ଟ୍ରେନରେ ଆସୁଛନ୍ତି ପ୍ରବାସୀ, ନିର୍ଗୁଣ୍ଡି ଷ୍ଟେସନରେ ୧୪୪ ଧାରା

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ରହିଯାଇଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜାରି ରହିଥିବା ଟ୍ରେନ୍ ସେବା କ୍ରମରେ ଦିଲ୍ଲୀରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ଆଜି ଭୁବନେଶ୍ୱରରେ ପହଞ୍ଚୁଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ-ଭୁବନେଶ୍ୱର ମଧ୍ୟରେ ଏହି ଟ୍ରେନ ସେବା ଆରମ୍ଭ ହୋଇଛି।

ସେପଟେ ହାଇଦ୍ରାବାଦରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଓଡ଼ିଶା ଆସୁଛି ଆଉ ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ। ୬ ଘଣ୍ଟା ବିଳମ୍ବରେ ଆସୁଥିବା ଏହି ଟ୍ରେନରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଗଂଜାମ ଆଦି ୪ଟି ଜିଲ୍ଲାର ମୋଟ ୭୯୩ ଜଣ ଶ୍ରମିକ ଆସୁଛନ୍ତି। ଏମାନେ ସମସ୍ତେ ଟାଙ୍ଗୀ ର୍ନିଗୁଣ୍ଡି ଷ୍ଟେସନରେ ଓହ୍ଲାଇବେ। ସେମାନଙ୍କ ସୁବିଧା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।

ନିର୍ଗୁଣ୍ଡି ଷ୍ଟେସନର ଚାରିପଟେ ୧୪୪ ଧାରା ଜାରି କରାଯାଇଛି। ଷ୍ଟେସନ ପରିସରରେ ସେମାନେ ପହଞ୍ଚିବା ପରେ ସ୍କ୍ରିନିଂ କରାଯାଇ ସେମାନଙ୍କୁ ନିଜ ନିଜ ଜିଲ୍ଲାରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଯିବ।

ସେପଟେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ବାହାରିଥିବା ଟ୍ରେନ୍ ଆସନ୍ତାକାଲି ପହଞ୍ଚିବ। ଏହି ଟ୍ରେନ୍ ରାୟଗଡ଼ା ଷ୍ଟେସନରେ ପହଞ୍ଚିବା ପରେ ରାୟଗଡ଼ା ସମେତ ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଆଦି ଜିଲ୍ଲାର ପ୍ରାୟ ୪ଶହ ଶ୍ରମିକ ଓହ୍ଲାଇବେ। ଏଥିପାଇଁ ଆସନ୍ତାକାଲି ଅପରାହ୍ନ ୫ଟାରୁ ରାତି ୭ଟା ଯାଏଁ ରାୟଗଡ଼ା ସହର ଏବଂ ଆଖାପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ସେହିପରି ସୁରତ, ତାମିଲନାଡୁ, ଚେନ୍ନାଇ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରୁ ମଧ୍ୟ ପ୍ରବାସୀ ଓଡ଼ିଆଙ୍କୁ ଧରି ଆହୁରି ଟ୍ରେନ୍ ଆସୁଛି। ଆସନ୍ତାକାଲି ସୁଦ୍ଧା ୪ଟି ଟ୍ରେନ୍ ଓଡ଼ିଶାରେ ପହଞ୍ଚିବ ବୋଲି ରେଲେୱେ ପକ୍ଷରୁ ସୂଚନା ମିଳିଛି। ଗତକାଲି ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରୁ ୪୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଓଡିଶାରେ ପହଞ୍ଚିସାରିଥିବା ରେଲେୱେ ସୂଚନା ଦେଇଛି।

You might also like