‘ପୁଅ ପରି ପାଳିଥିଲା, କେମିତି ଛାଡ଼ି ଯିବୁ’

ଭୁବନେଶ୍ୱର: ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ସାଂଘାତିକ ଅବ୍ୟବସ୍ଥା ଆଉ ବିଭ୍ରାଟ। କେଉଁଟି ଖାଇବାକୁ ନାହିଁ ତ କେଉଁଠି ଶୋଇବାକୁ ଜାଗା ନାହିଁ। କେଉଁଠି ପାଣି ନାହିଁ ତ କେଉଁଠି ଲାଇଟ୍‌ ନାହିଁ। ପୁଣି କେଉଁଠି ସଙ୍ଗରୋଧ କେନ୍ଦ୍ରରେ ପ୍ରଶାସନିକ ନିର୍ଯାତନା।

ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ସଙ୍ଗରୋଧ କେନ୍ଦ୍ର ଥିଲା ନିଆରା । ଏଠି ସମସ୍ୟା ଥାଇପାରେ ହେଲେ ମିଳୁଥିବା ସ୍ନେହ, ସହନଭୂତି ଏସବୁ  ଦୁଃଖକୁ ଦୂରେଇ ଦେଉଥିଲା। ସେଥିପାଇଁ ତ ଏହି କେନ୍ଦ୍ରରେ ୧୪ ଦିନ ରହିବା ପରେ ଘରକୁ ବି ଭୁଲି ଯାଇଥିଲେ ଅନ୍ତେବାସୀ।  ଯିବାବେଳେ ଭାବବିହ୍ୱଳ ହୋଇ କାନ୍ଦି ପକାଉଥିଲେ ।

ଗୋବିନ୍ଦପୁର ପଞ୍ଚାୟତର ଗୋଦାବରୀଶ ବିଦ୍ୟାପୀଠ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ୩୯ ପ୍ରବାସୀ।  ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଏମାନଙ୍କର ରହିବା, ଖାଇବା, ସୁଖଦୁଃଖ ସବୁ ବୁଝୁଥିଲେ ଘରର ସଦସ୍ୟଙ୍କ ପରି । ଆଜି ଏହି ୩୯ ପ୍ରବାସୀଙ୍କ କ୍ୱାରେଣ୍ଟିନ ଅବଧି ଶେଷ ହୋଇଛି। ଯିଏ ଯାହାର ଘରକୁ ଫେରିଯିବେ । ଖାଁ ଖାଁ ଲାଗିବ କ୍ୱାରେଣ୍ଟିନ କେନ୍ଦ୍ର। ମନେ ପଡ଼ିବ ଏମାନଙ୍କୁ କଥା। ଯିବାବେଳେ ସରପଞ୍ଚ, ଅନ୍ତେବାସୀ ସମସ୍ତେ କାନ୍ଦୁଥିଲେ।

ତଥାପି ସରପଞ୍ଚ ସମସ୍ତଙ୍କୁ ଫୁଲ ସିନ୍ଦୂର ଲଗାଇ ସମସ୍ତଙ୍କ ମଙ୍ଗଳକାମନା କରି ବିଦାୟ ଦେଉଥିଲେ। ଆଉ ଗଲାବେଳେ କିଏ ସରପଞ୍ଚଙ୍କ ଗୋଡ ଧରି ମୁଣ୍ଡିଆ ମାରୁଥିଲେ ତ କିଏ ଭୋ ଭୋ ହୋଇ କାନ୍ଦୁଥିଲେ। କିଏ କହୁଥିଲା‘ ମା, ତୋତେ ଛାଡ଼ି ଯିବିନି‘ ତ କିଏ କାନ୍ଦି କାନ୍ଦି କହୁଥିଲା ‘ ପୁଅପରି ସ୍ନେହ ଦେଇଥିଲେ, କିପରି ତାଙ୍କୁ ଛାଡ଼ି ଯିବୁ ?’

ସରପଞ୍ଚ ବି କହୁଥିଲେ, ଆମକୁ ପ୍ରବାସୀ ପରି ଏମାନେ ଲାଗୁ ନ ଥିଲେ। ଲାଗୁଥିଲେ ଯେମିତି ଘରକୁ କେହି ସମ୍ପର୍କୀୟ ଆସିଛନ୍ତି। ଆଜି ଶେଷ ଦିନରେ ବହୁତ ମନଦୁଃଖ ଲାଗୁଛି। ତେବେ ସରପଞ୍ଚଭାବେ ଏମାନଙ୍କ ପାଇଁ ଏତିକି କରିପାରିଥିବାରୁ ବହୁତ ଶାନ୍ତି ଲାଗୁଛି।

 

You might also like