କ୍ୱାରେଣ୍ଟିନ୍ ଅବଧି ସାରି ବି ଘରକୁ ଫେରିପାରୁନି ପ୍ରବାସୀ

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସାରି ବି ଘରକୁ ଫେରିପାରୁନି ପ୍ରବାସୀ। କେଉଁଠି ଗାଁ ଲୋକଙ୍କ ବିରୋଧ, ଆଉ କେଉଁଠି କୋଭିଡ୍ ଟେଷ୍ଟ ହୋଇନଥିବାରୁ ପରିବାରରେ ସଂକ୍ରମଣର ଭୟ। ଖାସ୍ ଏଇଥିପାଇଁ କ୍ୱାରେଣ୍ଟିନ୍ ସମୟ ସୀମା ଶେଷ କରି ବି ରାଜ୍ୟର ଅନେକ ସ୍ଥାନରେ ନିଜ ପିଲା ପରିବାର ପାଖକୁ ଯାଇ ପାରୁନାହାନ୍ତି ଶହ ଶହ ପ୍ରବାସ ଫେରନ୍ତା। ଏନେଇ ବିରୋଧୀ ସରକାରଙ୍କ ଟେଷ୍ଟିଂ ନୀତିକୁ ଦାୟୀ କରିଥିବା ବେଳେ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ସଙ୍ଗରୋଧର ସମୟ ସରିଛି। ହେଲେ ସରୁନି କଟକଣା। କ୍ୱାରେଣ୍ଟିନ୍ ସେଣ୍ଟରରେ ରହି ଗାଁକୁ ଫେରିଥିଲେ ବି ସମ୍ଭବ ହେଉନି ପରିବାର ଲୋକଙ୍କ ସହ ମିଳାମିଶା। ଖଣ୍ଡେ ଦୂରରେ ଥାଇ କେଉଁଠି ଭାଇକୁ ଭଉଣୀ ତ କେଉଁଠି ପୁଅକୁ ମାଆ ବଢ଼ାଇ ଦେଉଛି ଖାଦ୍ୟ ପୁଡ଼ିଆ।

କଳାହାଣ୍ଡି ନର୍ଲା ବ୍ଲକ୍ ଭଁଅରାମାଳ ଗାଁର ଗୁଜରାଟ ରାଜକୋଟରେ ରହୁଥିବା ଭଁଅରାମାଳର ୧୦ଜଣ ୭ ଦିନିଆ କ୍ୱାରେଣ୍ଟିନ୍ ସାରି ଘରକୁ ଫେରୁଥିଲେ। ହେଲେ କୋଭିଡ୍ ଟେଷ୍ଟ ହୋଇ ନଥିବାରୁ ସଂକ୍ରମଣ ଆଶଙ୍କାରେ ଗାଁ ଲୋକେ ଗାଁରେ ପୂରେଇ ଦେଲନି।

କେହି କେହି ବି ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ବି ପୁଣି ଏମିତି ୭ ଦିନିଆ ସଙ୍ଗରୋଧ ଜୀବନକୁ ଆଦରୀ ନେଇଛନ୍ତି ଏ ପ୍ରବାସୀ ଫେରନ୍ତାମାନେ।

ସେହିଭଳି ନୂଆପଡ଼ା ଜିଲ୍ଲା ଖଇରାଭାଡ଼ି ଗାଁରେ ଅନୁରୂପ ଦଶା ଭୋଗୁଛନ୍ତି ୨୬ ପ୍ରବାସୀ ଫେରନ୍ତା। ଏମାନେ ସମସ୍ତେ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରହିଥିବାରୁ ଘରକୁ ଫେରିବାକୁ ଆଶା ବାନ୍ଧିଥିଲେ। ହେଲେ ସମସ୍ତଙ୍କର କୋଭିଡ୍ ଟେଷ୍ଟ ନହେବା ଯାଏଁ ସମସ୍ତଙ୍କୁ ସ୍କୁଲ ଘରେ ରଖିଛନ୍ତି ଗାଁ ଲୋକେ।

କେବଳ ନୂଆପଡ଼ା କି କଳାହାଣ୍ଡି ନୁହେଁ, ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ପ୍ରବାସୀଙ୍କ ରହଣୀ ୭ ଦିନକୁ ହ୍ରାସ ଓ ବିନା ଟେଷ୍ଟିଂରେ ଘରକୁ ଛଡ଼ାଯାଉଥିବାରୁ ବିଭିନ୍ନ ଜିଲ୍ଲାରେ ଉତ୍କଟ ହେବାରେ ଲାଗିଛି ଏ ସମସ୍ୟା।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାକୁ ନିହାତି ଦୁର୍ଭାଗ୍ୟଜନକ ବୋଲି କହିଥିବା ବେଳେ ରାଜ୍ୟ ସରକାର ସରକାର ଟେଷ୍ଟିଂ ସଂଖ୍ୟା କାହିଁକି କମାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଟେଷ୍ଟିଂ ସଂଖ୍ୟା ବଢ଼ାନ୍ତୁ। କ୍ୱାରେଣ୍ଟିନ୍ ସେଣ୍ଟର୍‌ରେ ଥିବା ପ୍ରତିଟି ଲୋକଙ୍କୁ ଟେଷ୍ଟିଂ କରି ରିପୋର୍ଟ ଆସିଲେ ତାଙ୍କୁ ଛଡ଼ା ଯାଉ।

ଏଣେ ପ୍ରବାସ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହୋଇଥିଲେ ବି ବଲାଙ୍ଗିର ବଙ୍ଗୋମୁଣ୍ଡାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ନିକଟରେ ବିରିପାଲି ପଞ୍ଚାୟତକୁ ତେଲେଙ୍ଗାନାରୁ ୩୦ ଜଣ ଦାଦନ ଫେରିଥିଲେ ବି ସରପଞ୍ଚ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିନଥିବା ଅଭିଯୋଗ ହୋଇଛି। ଫଳରେ ଅନ୍ୟ ଉପାୟ ନପାଇ ଜଙ୍ଗଲରେ ବନବାସୀ ଜୀବନ ବିତାଉଛନ୍ତି ୩୦ରୁ ଅଧିକ ପ୍ରବାସୀ।

You might also like