ପୁଣି ଗଞ୍ଜାମକୁ ଫେରୁଛନ୍ତି ପ୍ରବାସୀ : ଷ୍ଟେସନରେ ପ୍ରବାସୀଙ୍କ ଟେଷ୍ଟିଂ ଓ ଟ୍ରେସିଂ

ଦ୍ୱିତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ

ସରପଞ୍ଚ ସଜାଗ, ପ୍ରବାସୀଙ୍କ ଆଇସୋଲେସନ ଉପରେ ଗୁରୁତ୍ୱ

ସୁରଟରେ କୋଭିଡରେ ଜୀବନ ହାରିଲେ ଆଉ ଜଣେ ଓଡିଆ

ବ୍ରହ୍ମପୁର, ଆସ୍କା, ଖଲ୍ଲିକୋଟ( ଅଶୋକ ବ୍ରହ୍ମା, ମନୋଜ ମୁନୀ,ସିଲୁ ବିଶ୍ୱାଳ) : କରୋନାର ଗତବର୍ଷ ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ବଢାଇଥିଲେ ପ୍ରବାସୀ ଓଡିଆ । ଏବେ ପୁଣି ଥରେ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଗଞ୍ଜାମର ସ୍ଥିତି ମଧ୍ୟ ଧିରେ ଧିରେ ବିଗୁଡ଼ିବାରେ ଲାଗିଛି । ଆଉ ଏପରି ସମୟରେ ପ୍ରବାସୀଙ୍କୁ ନେଇ ପୁଣି ବଢିଛି ଚିନ୍ତା । ସେପଟେ ସୁରଟରେ ଗଞ୍ଜାମର କିଛି ଓଡିଆଙ୍କ କୋଭିଡରେ ମୃତ୍ୟୁ ହେବା ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ ।

ସୁରଟରେ କରୋନା ସ୍ଥିତି ସାଂଘାତିକ ହେଉଥିବା ବେଳେ ସେଠାରେ ରହୁଥିବା ଓଡିଆଙ୍କ ଭିତରେ ପୁଣି ଆତଙ୍କ ଖେଳିଯାଇଛି । ଗତଥର ଭଳି ପୁଣି ଜିଲ୍ଲାକୁ ଛୁଟିଛି ସୁରଟ ଫେରନ୍ତାଙ୍କ ଲମ୍ବା ଧାଡି  ଘର ଓ ପରିବାର ପାଖକୁ ଫେରି ଆସୁଛନ୍ତି ପ୍ରବାସୀ  ।ଗତ ୧୫ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାକୁ ୬ ହଜାର ୬୪ ଜଣ ପ୍ରବାସୀ ଫେରିସାରିଲେଣି । ସ୍ଥିତି ଧିରେ ଧିରେ ବିଗୁଡୁଥିବା ବେଳେ ତତ୍ପର ହୋଇଉଠିଛି ପ୍ରଶାସନ  ।

ରେଳ ଷ୍ଟେସନରେ ୬ଟି କାଉଁଟର ଖୋଲାଯାଇ ପ୍ରବାସୀଙ୍କ ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି । ବ୍ରହ୍ମପୁର ରିଟର୍ଣ୍ଣି ଆପ୍ ଜରିଆରେ ଫେରନ୍ତାଙ୍କ ନାଁ ଓ ଠିକଣା ପଞ୍ଜୀକରଣ ହେଉଛି । ସେପଟେ କରୋନା ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ଏମକେସିଜି, ଟାଟା କୋଭିଡ୍ ହସପିଟାଲ ଓ ଅଶ୍ୱିନୀ କୋଭିଡ ହସପିଟାଲକୁ ପ୍ରସ୍ତୁତ ରଖାଯାଇଛି। ରୋଗୀଙ୍କ ପାଇଁ ରହିଛି ୪୫୦ ବେଡ୍ ଓ ୯୫ଟି ଭେଣ୍ଟିଲେଟର ବ୍ୟବସ୍ଥା ସରପଞ୍ଚଙ୍କୁ ସଜାଗ କରିବା ସହ ପ୍ରବାସୀଙ୍କ ହୋମ୍ ଆଇସୋଲେସନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ସେପଟେ ସୁରଟରେ କୋଭିଡରେ ଆଉ ଜଣେ ଓଡିଆଙ୍କ ଜୀବନ ଯାଇଛି । ଭୟଙ୍କର ଭୂତାଣୁ ପୁଅକୁ ମାଆଠୁ ଛଡାଇ ନେଇଛି । ସ୍ତ୍ରୀ ବିଧବା, ଦୁଇ ପୁଅ-ଝିଅ ବାପ ଛେଉଣ୍ଡ। ପୂରା ପରିବାରକୁ ଯନ୍ତ୍ରଣା ଭିତରକୁ ଠେଲି ଦେଇଛି ମହାମାରୀ । କେବଳ ପରିବାର ନୁହେଁ, କାନ୍ଦ ବୋବାଳିରେ ଫାଟି ପଡୁଛି ଗଞ୍ଜାମ ଜିଲ୍ଲା କବିସୂଯର୍ୟନଗର ବ୍ଳକ୍ ନୂତନ କନ୍ଧ ଖରିଡା ଗାଁ । ଦି ପଇସା ରୋଜଗାର କରି ପରିବାରକୁ ଭଲରେ ଚଳାଇବାକୁ ସୁରଟ ଯାଇଥିଲେ ଅରୁଣ । ହେଲେ କରୋନାରେ ଆକ୍ରାନ୍ତ ହୋଇ ଜୀବନ ଚାଲିଗଲା ରୋଜଗାରିଆ ପୁଅ । ପୁଅର ମୃତଦେହ ବି ଦେଖିପାରିଲେନି ବାପା-ମାଆ ।

You might also like