କେଉଁଠି ଗାଡ଼ିରେ ଖୁନ୍ଦାଖୁନ୍ଦି ହୋଇ କ୍ୱାରେଣ୍ଟିନ୍‌ ସେଣ୍ଟର ଗଲେ ତ, ଆଉ କେଉଁଠି ଛାଡ଼ି ପଳାଇଲା ବସ୍‌

ଭୁବନେଶ୍ୱର: କେଉଁଠି ଗାଡ଼ିରେ ଲଦା ହୋଇ ଖୁନ୍ଦାଖୁନ୍ଦି ଅବସ୍ଥାରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟିନ୍‌ ସେଣ୍ଟର ଯାଇଥିବାବେଳେ, ଆଉ କେଉଁଠି ପ୍ରଶାସନ ସହଯୋଗ ନ କରିବାରୁ ଦୀର୍ଘ ସମୟ ଧରି ପ୍ରବାସୀ ଓଡ଼ିଆଙ୍କୁ ଫସି ରହିବାକୁ ପଡ଼ିଥିଲା। ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଓ କଟକରେ ଦେଖିବାକୁ ମିଳିଛି।

ହାଇଦ୍ରାବାଦରୁ ଫେରିଥିବା ଶ୍ରମିକମାନେ ଟ୍ରକ୍‌ରେ ଲଦା ହୋଇ ଖୁନ୍ଦାଖୁନ୍ଦି ଅବସ୍ଥାରେ କ୍ୱାରେଣ୍ଟିନ୍‌ ସେଣ୍ଟର ଯାଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇ ଛକରୁ ଏମିତି ଅବସ୍ଥାରେ ବସ୍ତା ଅଞ୍ଚଳରେ ଥିବା ଏକ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପ୍ରବାସୀ ଓଡ଼ିଆମାନଙ୍କୁ ପଠାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ଶ୍ରମିକମାନେ ହାଇଦ୍ରାବାଦରୁ ୨ଟି ବସ୍ ଯୋଗେ ବାଲେଶ୍ୱର ଫେରିଥିଲେ। ଶେରଗଡ଼ ଟୋଲଗେଟ୍ ନିକଟରେ ଏମାନଙ୍କୁ ବସ୍ ଓହ୍ଲାଇ ଦେଇଥିଲା। ପରେ ସେମାନେ ଚାଲି ଚାଲି ଘରକୁ ଯାଉଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇ ଏସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପ୍ରଶାସନ ସେମାନଙ୍କୁ ଏକ ଟ୍ରକ୍‌ ସାହାଯ୍ୟରେ ବସ୍ତା ବ୍ଲକରେ ଥିବା ସରକାରୀ କ୍ୱାରେଣ୍ଟିନ୍‌ ସେଣ୍ଟରକୁ ପଠାଥିଲେ।

ଏମିତି ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକରେ। ପ୍ରଶାସନ ସହଯୋଗ ନ କରିବାରୁ ଦୀର୍ଘ ସମୟ ଧରି ଫସି ରହିଥିଲେ ତାମିଲନାଡୁରୁ ଫେରିଥିବା ପ୍ରବାସୀ ଓଡ଼ିଆ। କଟକ ଓଏମ୍‌ପି ଛକରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ବାଧ୍ୟ ହୋଇ ଚାଲି ଚାଲି ଘରକୁ ବାହାରିଥିଲେ ପ୍ରବାସୀ ଓଡ଼ିଆ।

ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ବସ୍‌ରେ କେନ୍ଦ୍ରାପଡ଼ାର ୧୫ ଜଣ ଓ ଜଗତସିଂହପୁର ଜିଲ୍ଲାର ୧୫ଜଣ ସମୁଦାୟ ୩୦ଜଣ ପ୍ରବାସୀ ଓଡ଼ିଆ କଟକ ଓଏମ୍‌ପି ଛକରେ ଓହ୍ଲାଇଥିଲେ। ଏମାନେ ତାମିଲନାଡୁର କାଞ୍ଚିପୁରମରୁ ଓଡ଼ିଶା ଫେରିଥିଲେ। ନିଜ ଖର୍ଚ୍ଚରେ ଜଣକ ପିଛା ୫ ହଜାର ୪୦୦ ଟଙ୍କା ଦେଇ କାଞ୍ଚିପୁରମରୁ ଆସିଥିଲେ। ବସ୍‌ର ପରମିସନ କଟକ ଯାଏ ଥିବାରୁ ବସ୍‌ଟି ଏମାନଙ୍କୁ ଓଏମ୍‌ପି ଛକରେ ଓହ୍ଲାଇ ଦେଇଥିଲା। ଏହାପରେ ସେମାନେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଥିଲେ। ହେଲେ ସେମାନେ ନିଜ ବ୍ୟବସ୍ଥାରେ ଘରକୁ ଫେରିବାକୁ ଜଗତସିଂହପୁର ପ୍ରଶାସନ କହିଥିବା ସେମାନେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ପ୍ରଶାସନ ମଧ୍ୟ ସମାନ କଥା କହିଥିବା ଶ୍ରମିକମାନେ କହିଛନ୍ତି।

ତେଣୁ ଶେଷରେ ଉପାୟ ଶୂନ୍ୟ ହୋଇ କେନ୍ଦ୍ରାପଡ଼ାର ପ୍ରବାସୀମାନେ ବସ୍ ଡ୍ରାଇଭରଙ୍କୁ ଜଣକ ପିଛା ଅଧିକ ୫୦୦ ଟଙ୍କା ଲେଖାଏ ଦେଇ ନିଜ ଜିଲ୍ଲାକୁ ଯାଇଥିବେଳେ ଚାଲି ଚାଲି ଘର ମୁହାଁ ହୋଇଥିଲେ ଜଗତସିଂହପୁରର ପ୍ରବାସୀ ଓଡ଼ିଆ। କିଛି ବାଟ ଯିବା ପରେ ଏକ ଅଟୋରେ ସେମାନେ ଘରକୁ ଯାଇଥିବା ଜଣାପଡ଼ିଛି। ତେବେ ଏନେଇ ଉଭୟ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ।

ଆହୁରି ପଢ଼ନ୍ତୁ

You might also like