ସହି ହେଉନି ପେଟର ଦୁଃଖ: ପୁଣି ସୁରତ ମୁହାଁ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ସୁରଟ୍, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ନେଲୋର ଏସବୁ ସହରରୁ ଆସିଥିବା ସ୍ୱତନ୍ତ୍ର ବସ୍‌ରେ ଫେରି ଯାଉଛନ୍ତି ଓଡ଼ିଆ ଶ୍ରମିକ। କରୋନା ଡରରେ ସିନା ପଳାଇ ଆସିଥିଲେ ହେଲେ ତାକୁ ବଳିଗଲା ପେଟର ଭୋକ। ସରକାର କାମ ଦେବେ ବୋଲି ପ୍ରତିଶ୍ରୁତି ତ ଦେଇଥିଲେ। ତେବେ ମାସ ମାସ ଅପେକ୍ଷା କରି ନିରାଶ ହେବା ପରେ ଭାଗ୍ୟକୁ ଆଦରି ପୁଣି ନିଜ କର୍ମସ୍ଥଳୀକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।

ଲକଡାଉନ ସମୟରେ କେବଳ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ ୪ଲକ୍ଷରୁ ଅଧିକ ଶ୍ରମିକ। ତେବେ ଉପଯୁକ୍ତ କର୍ମସଂସ୍ଥାନ ନମିଳିବାରୁ, କରୋନା ଭୟ ଦୂର ହୋଇନଥିଲେ ମଧ୍ୟ ସେମାନେ ଅନ୍ୟ ରାଜ୍ୟକୁ ଯିବା ଶ୍ରେୟସ୍କର ମଣୁଛନ୍ତି। ତେବେ ମାତ୍ର ଅଳ୍ପ ସଂଖ୍ୟକ ଶ୍ରମିକ କର୍ମସ୍ଥଳୀକୁ ଯାଇଛନ୍ତି, ମାତ୍ର ଫେରିବା ପରେ ସେମାନେ ଯେଭଳି ଅସୁବିଧାରେ ନପଡିବେ ସେଥିଲାଗି ସେମାନଙ୍କ ପଞ୍ଜିକରଣ ବ୍ୟବସ୍ଥା କରାଯାଉଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେଣେ ଲକଡାଉନ କଟକଣା କୋହଳ ହେବା ପରେ କଳକାରଖାନା ଖୋଲିବା ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ଶ୍ରମିକ ସୁରତର ସୂତାକଳରେ କାମ କରିଥାଆନ୍ତି। ତେବେ ଅନେକ ଶ୍ରମିକ ପଳାଇ ଆସିଥିବାରୁ ମିଲ୍ ଚାଲିପାରୁନାହିଁ। ତେଣୁ ଶ୍ରମିକଙ୍କମାନଙ୍କୁ ଯେମିତି ସ୍ୱତନ୍ତ୍ର ଟ୍ରେନରେ ଆଣିଥିଲେ, ସେମିତି ସ୍ୱତନ୍ତ୍ର ଟ୍ରେନ୍‌ରେ ଫେରାଇ ଦେବା ଲାଗି ସେଠାକାର ମିଲ୍ ମାଲିକମାନେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। ଏଣେ ଯେଉଁମାନେ କୁଶଳୀ ଶ୍ରମିକ ସେମାନେ ନିଜ ନିଜ ଫ୍ୟାକ୍ଟ୍ରିକୁ ଫେରୁଛନ୍ତି ମାତ୍ର ଯେଉଁମାନେ ଅଣକୂଶଳୀ ସେମାନଙ୍କୁ କାମ ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

କରୋନା ମହାମାରୀ ସହ ସିନା ଲଢି ହେବ, ତେବେ ଭୋକ ରାକ୍ଷସ ସହ ଲଢିବା ବଡ଼ ମୁସ୍କିଲ ଦୀର୍ଘ ୫ ମାସ ବେକାର ବସିବା ପରେ ଦୋହଲି ଯାଇଛି। ଶ୍ରମିକଙ୍କ ଆର୍ଥିକ ସ୍ଥିତି ସରକାର କାମ ଦେବାକୁ କହିଥିଲେ ସତ, ହେଲେ ଦକ୍ଷତା ଅନୁସାରେ କାମ ମିଳିବା ମୁସ୍କିଲ। ତେଣୁ ପୁଣି ପୁରୁଣା ଜାଗାକୁ ଫେରିଯିବା ବ୍ୟତୀତ ପ୍ରବାସୀଙ୍କ ନିକଟରେ ଅନ୍ୟ ଚାରା ନାହିଁ।

You might also like