ବେକାର ହେଲେଣି ଲକ୍ଷାଧିକ ଶ୍ରମିକ, କିଏ ଦେବ କାମ ?

ଭୁବନେଶ୍ୱର: ଭର୍ଚୁଆଲ୍‌ ରାଲିରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ତୀର ଏବେ ସୃଷ୍ଟି କରିଛି ରାଜନୈତିକ ବିତର୍କ। ଓଡ଼ିଶାର ବ୍ୟକ୍ତି କାମ ପାଇଁ ଅନ୍ୟ ସ୍ଥାନକୁ ନଯାଉ ଏହି ଚିନ୍ତା ବିଜେପିର ବୋଲି କହିଥିଲେ ଶାହ। ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ତର୍କ ବିତର୍କ ଆରମ୍ଭ ହୋଇଯାଇଛି।

ଏପଟେ ପ୍ରବାସୀ ଫେରନ୍ତାକୁ ନେଇ ବଢ଼ିଛି ସରକାରଙ୍କ ଚିନ୍ତା। ପ୍ରଥମେ ସଂକ୍ରମଣ ଆଉ ଏବେ ଜୀବିକାକୁ ନେଇ ବଢ଼ିଲାଣି ଚିନ୍ତା। ଓଡ଼ିଶାକୁ ଫେରିଲେଣି ୫ ଲକ୍ଷ ୧୦ ହଜାରରୁ ଅଧିକ ପ୍ରବାସୀ। ସରକାରଙ୍କ ମୁଖପାତ୍ର ପୂର୍ବରୁ କହିଥିଲେ, ୧୨ ଲକ୍ଷ ୭୦ ହଜାର ଶ୍ରମିକ ବାହାର ରାଜ୍ୟରେ କାମ କରୁଛନ୍ତି। ଏବେ ପ୍ରବାସୀଙ୍କ ଫେରିବାର ପ୍ରକ୍ରିୟାରେ ବ୍ରେକ୍ ଲାଗିଥିଲେ ବି ଶ୍ରମିକ ସ୍ପେଶାଲ୍ ଏକ୍ସପ୍ରେସ ଆସୁଛି। ତେଣୁ ସଂଖ୍ୟା ଆହୁରି ବଢିପାରେ।  ସଂକ୍ରମଣ ସାଙ୍ଗକୁ ଏମାନଙ୍କର ଜୀବିକାର ଚିନ୍ତା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିଛି।

ଚିହ୍ନଟ ଆକ୍ରାନ୍ତଙ୍କ ଭିତରୁ ୯୦ ଭାଗ ହେଉଛନ୍ତି ପ୍ରବାସୀ ଶ୍ରମିକ। ତେବେ ଏସବୁ ଭିତରେ ଶ୍ରମିକଙ୍କ ସମସ୍ୟାକୁ ନେଇ ଶାହାଙ୍କ ବୟାନ ଏବେ  ପ୍ରସଙ୍ଗରେ ରାଜନୀତିର ରଙ୍ଗ ଲଗାଇଛି। ଶ୍ରମିକଙ୍କ ସମସ୍ୟା ପାଇଁ କଂଗ୍ରେସ ସିଧା କେନ୍ଦ୍ର ଓ ରାଜ୍ୟକୁ ନିଶାନା କିରିଛି। କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି ଏମ୍‌ଏସ୍‌ଏମ୍‌ଇକୁ ପ୍ରମୋଟ୍ କରିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ। ଆଗାମୀ ଦିନରେ ସରକାର ଫେଲ୍‌ ହେବେ। ଏଥିସହିତ ବିଜେପି, ବିଜେଡି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଆରୋପ ଲଗାଇଛନ୍ତି ପ୍ରଦୀପ।

ବିଜେପି କହିଛି ଶାସନର ୨୦ ବର୍ଷ ଭିତରେ ୨୦ ଲକ୍ଷ ଲୋକ ରାଜ୍ୟ ବାହାରେ ଦାଦନ ଖଟିବା ନବୀନ ସରକାରଙ୍କ ଉପଲବ୍ଧି। ଯାହାର ଯବାବ ରଖି ବିଜେଡି କହିଛି, ଫେରିଥିବା ଶ୍ରମିକଙ୍କୁ କାମ ଦେବାକୁ ସେମାନଙ୍କର ଦକ୍ଷତା ଅନୁସାରେ ମ୍ୟାପିଂ ଆରମ୍ଭ ହୋଇଛି।

 

ଲକ୍‌ଡାଉନ୍ ଯୋଗୁ କଳକାରଖାନା ବନ୍ଦ ହୋଇଯିବା ଫଳରେ ବନ୍ଦ ହୋଇଯାଇଛି ଶ୍ରମିକଙ୍କ ରୋଜଗାରର ବାଟ। ମୟୁରଭଞ୍ଜ ରଙ୍ଗିଆମ ଗାଁର ଶିରିସ ଚନ୍ଦ୍ର ନାୟକଙ୍କ କଥା ବିଚାର କରନ୍ତୁ। କୁଶଳୀ ଶ୍ରମିକ ଭାବେ ସୁରତର ଏକ କମ୍ପାନୀରେ  କାମ କରୁଥିଲେ ଶିରିସ। ହେଲେ କରୋନା ପାଇଁ କମ୍ପାନୀ ବନ୍ଦ ପରେ ଏବେ କେମିତି ପରିବାର ପାଇଁ ଦାନା ଯୋଗାଡ଼ କରିବେ ସେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ଗଂଜାମ ଖଲ୍ଲିକୋଟର ସୁରତ ଫେରନ୍ତା ବୁଧିଆ ସ୍ୱାଇଁଙ୍କ ବି ସମାନ ଦଶା। ସୁତାକଳ ବନ୍ଦ ପରେ କାମ ହରାଇଥିବା ବୁଧିଆ ଆଉ ସୁରତ ଯିବାକୁ ଚାହୁଁନାହାନ୍ତି। ଜଗତସିଂହପୁରର ନାଉଁଗାର ଦୀପକ ଓ ସୁବାସ ବି ସୁରତ ଫେରିବା ଆଶା ଛାଢ଼ି ଦେଇଛନ୍ତି। ଏବେ ପ୍ରଶ୍ନ, ରାଜ୍ୟକୁ ଫେରିଥିବା ଏମିତି ଲକ୍ଷ ଲକ୍ଷ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ କାମ ଦେବ କିଏ ?

ସାରା ଦେଶରେ ଆଜି ସୁଦ୍ଧା ୪, ୩୪୭ ଶ୍ରମିକ ଏକ୍ସପ୍ରେସରେ ୬୦ ଲକ୍ଷରୁ ଅଧିକ ଶ୍ରମିକ ଘର ବାହୁଡ଼ିଛନ୍ତି। ବସ୍ ଓ ଅନ୍ୟ ଯାନକୁ ମିଶାଇଲେ ଏ ସଂଖ୍ୟା କୋଟିଏ ଟପିବ। ରାଜ୍ୟରେ ମଧ୍ୟ ଆକଳନ ବାହାରେ ଫେରିଛନ୍ତି ପ୍ରବାସୀ ଶ୍ରମିକ। ରାଜ୍ୟ ସରକାର ଘୋଷଣା କରିଥିବା ୧୭ ହଜାର କୋଟିର ପ୍ୟାକେଜ୍‌ରେ ଶ୍ରମିକଙ୍କ ପାଇଁ ଏମ୍‌ଜିଏନଆରଜିଏସରେ ୨୦ କୋଟିର ମାନବ ଦିବସ ସୃଷ୍ଟି କରି ୬୪୪୦ କୋଟିର ବ୍ୟବସ୍ଥା ହୋଇଛି। ତେବେ ପ୍ରଶ୍ନ ଲକ୍ଷାଧିକ କୁଶଳୀ ଓ ଅଣସଂଗଠିତ କ୍ଷେତ୍ରରେ କାମକରୁଥିବା ଶ୍ରମିକଙ୍କ ପାଇଁ ଏହା ଯଥେଷ୍ଟ କି ?

ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ନେଇ ସୁପ୍ରିମ୍‌କୋର୍ଟ ବି ଗତକାଲି ନିର୍ଦ୍ଦେଶ ଦେଇଥିବା ବେଳେ ଏ ସମସ୍ୟା ଆଗକୁ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରେ।

You might also like