କାନାଡ଼ାରେ ରହି ଭୁଲିନାହାନ୍ତି ଜନ୍ମମାଟିକୁ: ନିଜସ୍ୱ ଟଙ୍କାରେ ଜିଲ୍ଲା ପ୍ରଶାସନକୁ କଲେ ବଡ଼ ସାହାଯ୍ୟ

ସାହାଯ୍ୟ କରୁଛନ୍ତି ପ୍ରବାସୀ

ଯାଜପୁର(ଗୁଲାମ ଗସ): ଭାରତରେ ଅକ୍ସିଜେନ ଜନିତ ସମସ୍ୟା ଯୋଗୁଁ କରୋନା ରୋଗୀଙ୍କ ମୃତ୍ୟୁ ଖବରରେ ବ୍ୟଥିତ ହୋଇ ମହାନତା ଦେଖାଇଲେ ପ୍ରବାସୀ ଓଡିଆ । ନିଜ ଦରମା ଅର୍ଥରେ ଅକ୍ସିଜେନ କନସେନଟ୍ରେଟର ଦାନ କଲେ ଓଡିଆ ପ୍ରବାସୀ। ସୁଦୁର କାନାଡାର ଟରୋଂଟୋରେ ରହୁଥିବା ଓଡିଆ ଯୁବକ ଶିବାଶିଷ ଦାସ ସାହାଯ୍ୟର ହାତ ବଢାଇଛନ୍ତି। ଶିବାଶିଷ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁର ଜିଲାପ୍ରଶାସନକୁ ୫ଟି ଅକ୍ସିଜେନ କନସନଟ୍ରେଟର ଦାନ କରିଛନ୍ତି। ବିଦେଶରେ ରହିବି ଭୁଲି ପାରିନାହାଁନ୍ତି ମାଟିର ମଣିଷକୁ। ନିଜ ଜନ୍ମମାଟିରେ କରୋନାର କରାଳ କାୟାକୁ ଟିଭି ପରଦାରେ ଦେଖି ବ୍ୟସ୍ତ ବିବ୍ରତ ହୋଇଛନ୍ତି ଏହି ପ୍ରବାସୀ ଓଡିଆ।

କେବଳ ବିବ୍ରତ ହୋଇନାହାଁନ୍ତି ସାହାଯ୍ୟର ହାତ ମଧ୍ୟ ବଢ଼ାଇଛନ୍ତି । ଯାଜପୁର ସୀମାନ୍ତ ଏରଡଙ୍ଗ ନଟରା ଗାଁର ଶିବାଶିଷ ଦାସ । ଯେଉଁ ଅକ୍ସିଜେନ ପାଇବା ପାଇଁ ପ୍ରତିଦିନ ଲୋକେ ସଂଘର୍ଷ କରୁଛନ୍ତି ସେହି ଅକ୍ସିଜେନ କନସେନଟ୍ରେଟର କରୋନା ରୋଗୀଙ୍କ ପାଇଁ ସେ ଦାନ କରିଛନ୍ତି। ଯାଜପୁର ଜିଲାପ୍ରଶାସନକୁ ନିଜ ପରିବାର ଲୋକଙ୍କ ମାଧ୍ୟରେ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରିଛନ୍ତି । କାନାଡାର ଟରୋଂଟୋରେ ରହୁଥିବା ଶିବାଶିଷ ସ୍ଥାନୀୟ ସରକାରଙ୍କ ଅଧିନରେ ଜଣେ ମେକାନିକାଲ ଇଂଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ଗତ କିଛି ଦିନ ହେଲା ଭାରତରେ ଅକ୍ସିଜେନ ଅଭାବରୁ କୋରୋନା ରୋଗୀଙ୍କ ମୃତ୍ୟୁ ଖବର ଟେଲିଭିଜନରେ ଦେଖିବା ପରେ ସହାୟତା କରିବାକୁ ମନସ୍ଥ କରିଥିଲେ । ଯାଜପୁରର ଜିଲା ସ୍କୁଲ ଓ ଏନସି କଲେଜରେ ଶିକ୍ଷା ଗ୍ରହଣ କରିଥିବା ଶିବାଶିଷ ପ୍ରାଥମିକ ପର୍ଯ୍ୟାୟରେ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଥିବା ବେଳେ ଆଗକୁ ଆଉ ୩ଟି ଦାନ କରିବେ ବୋଲି ସୂଚନା ମଧ୍ୟ ମିଳିଛି।

ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ହେଉଥିବା ଏଭଳି ମେସିନ ମିିଳିବା ପରେ ଶିବାଶିଷଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଶିବାଶିଷଙ୍କ ଭଳି ଅନ୍ୟ ମାନେ ଏପରି ସହଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି । ଏହି ମେସିନ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ପ୍ରଥମେ ବ୍ୟବହୃତ ହୋଇଛି।

You might also like