ଦଲାଲ୍ ସାଜୁଛନ୍ତି ନକଲି ଆର୍‌ଟିଓ

ଭୁବନେଶ୍ୱର: ଦଲାଲଙ୍କ କବ୍‌ଜାରେ ଓଡ଼ିଶା ସୀମାରେ ଥିବା ଆନ୍ତଃରାଜ୍ୟ ପ୍ରବେଶ ପଥ। ମିଛ ରସିଦ୍ ଦେଇ ଦିନ ଦ୍ୱିପ୍ରହରରେ ବାହାର ରାଜ୍ୟର ଟ୍ରକ୍‌ ଚାଳକଙ୍କଠାରୁ ଲୁଟ୍ ହେଉଛି କୋଟି କୋଟି ଟଙ୍କା। କେତେବେଳେ ଆର୍‌ଟିଓ ଅଫିସ୍ ଆଗରେ ତ ଆଉ କେତେବେଳେ ଥାନା ଆଗରେ ଖୋଦ୍ ଆର୍‌ଟିଓଙ୍କ ଗାଡ଼ିରେ ବସି ଟଙ୍କା ଆଦାୟ କରୁଛନ୍ତି ନକଲି କର୍ମଚାରୀ। ସବୁ ଜାଣି ସମସ୍ତେ ଚୁପ୍ ଯାହାକୁ ନେଇ ସାଂଘାତିକ ସନ୍ଦେହ ସୃଷ୍ଟି ହୋଇଛି।

ଓଡ଼ିଶା ସୀମାରେ ପଶିବାକୁ ହେଲେ ବାହାର ରାଜ୍ୟର ଗାଡ଼ିଙ୍କୁ ଦିଆଯାଉଛି ଏମିତି ପରମିଟ୍। ନା ଏଥିରେ ଅଛି କୌଣସି ସରକାରୀ ସିଲ୍ ନା ପରିବହନ ବିଭାଗ ଅଫିସରଙ୍କ ଦସ୍ତଖତ। ଅସଲ କଥା ହେଲା ଏ ପରମିଟ୍ ଇସ୍ୟୁ କରିଛନ୍ତି ଦଲାଲ୍।

ସେହିପରି କୋରାପୁଟ ଆରଟିଓ ଅଫିସ୍ ଆଗରେ ଏକ ଗାଡ଼ିରେ କିଛି ପରିବହନ ଅଧିକାରୀ ବସିଥିବା ଦେଖିବାକୁ ମିଳିଛି। ଆଉ ଆନ୍ଧ୍ର ସୀମାରୁ ଓଡ଼ିଶା ଭିତରକୁ ପଶୁ ଥିବା ଟ୍ରକ୍‌କୁ କିଛି ଲୋକେ ଅଟକାଉଛନ୍ତି। ଗାଡ଼ି ଅଟକାଇ  ଟଙ୍କା ଆଦାୟ କରାଯାଉଛି। ତା’ ବଦଳରେ ଦିଆଯାଉଛି ଏକ ରସିଦ୍, ଯାହାକି ଦେଖିବାକୁ ମିଳିଛି।

ହେଲେ ଖୋଳତାଡ଼ରୁ ଜଣା ପଡିଛି, ଆରଟିଓ ଅଫିସର ଏହି ଗାଡ଼ି ଭିତରେ ବସିଥିବା ଲୋକେ କି ଗାଡ଼ି ଅଟକାଉଥିବା ବ୍ୟକ୍ତି କେହି ବି ସରକାରୀ କର୍ମଚାରୀ ନୁହଁନ୍ତି। ଏମାନେ ସମସ୍ତେ ଦଲାଲ୍। ଆଉ ବାହାର ରାଜ୍ୟରୁ ଓଡିଶା ଆସୁଥିବା ହଜାର ହଜାର ଟ୍ରକ୍‌କୁ ଏମିତି ମିଛ ରସିଦ୍ ଦେଇ ଲୁଟି ଚାଲିଛନ୍ତି। ପାଟିରୁ ଯାହା ବାହାରିଲା ସେତିକି ଟଙ୍କା ଦେବାକୁ ପଡିବ ନ ହେଲେ ଗାଡ଼ିକୁ ଓଡିଶା  ଭିତରରେ ପ୍ରବେଶ ନାହିଁ। ମନା କଲେ ପରିବହନ ଅଧିକାରୀଙ୍କୁ ଡ଼କାଇ ବିଭିନ୍ନ ଆଳ ଦେଖାଇ ମାମଲା ରୁଜୁ। ଯାହାର ପ୍ରମାଣ ବି ଲାଗିଛି ଓଟିଭି ହାତରୋ ଦିନରାତି ଆନ୍ଧ୍ର-ଓଡ଼ିଶା ସୀମାରେ ଚାଲିଥିବା ଏହି ଲୁଟ୍ କଥା କିନ୍ତୁ ଜାଣି ନାହାନ୍ତି ବାହାର ରାଜ୍ୟର ଟ୍ରକ୍‌ ଡ୍ରାଇଭର।

ଗାଡି ପିଛା ମାସକ ପାଇଁ ଦେବାକୁ ପଡୁଛି ୫୦୦ ଟଙ୍କା। ଆଉ ତା’ ବଦଳରେ ଡ୍ରାଇଭରକୁ ମିଳୁଛି ବେସରକାରୀ ଏଣ୍ଟ୍ରି କୁପନ୍। ଦେଖିବାକୁ ମିଳିଛି ଯେ ଏ ରସିଦ୍ ଉପରେ ଖାଲି ଗାଡି ନମ୍ବର ଓ ତାରିଖ ପକାଇ ଗାଡି ଚାଳକଙ୍କୁ ଧରାଇ ଦେଉଛନ୍ତି ଦଲାଲ୍। ଯାହାର ଅବଧି ୧ ମାସ। ମାନେ ମାସକ ଭିତରେ ପୁଣି ଥରେ ଓଡିଶା ଆସିବାକୁ ହେଲେ ଛାଡ଼, ମାସେ ପୂରିଗଲେ ପୁଣି ୫ଶହ। ରସିଦ୍ ସତ ଅନୁସନ୍ଧାନ କରିବାକୁ ଯାଇ ମିଳିଥିଲା ସାଂଘାତିକ ତଥ୍ୟ। ପରିବହନ ବିଭାଗର କର୍ମଚାରୀ ହିସାବରେ ଜାତୀୟ ରାଜପଥ କଡରେ ଯେଉଁ ମାନେ ଟଙ୍କା ଆଦାୟ କରୁଛନ୍ତି ସେମାନେ କେହି ବି ସରକାରୀ କର୍ମଚାରୀ ନୁହଁନ୍ତି। ନିଜକୁ ଆର୍‌ଟିଓ ଅଧିକାରୀ କହି ଓ ବେଆଇନ ଭାବେ ଆର୍‌ଟିଓଙ୍କ ଗାଡ଼ି ବ୍ୟବହାର କରି ଟଙ୍କା ଆଦାୟ କରୁଛନ୍ତି।

ଏମାନେ କେତେବେଳେ ଆର୍‌ଟିଓଙ୍କ କାର୍ଯ୍ୟାଳୟ ଆଗରେ ତ ପୁଣି କେତେବେଳେ ଥାନା ସମ୍ମୁଖରେ ବି ଗାଡି ରଖି  ଦିନରାତି ଚାଲିଛି ଦଲାଲି। ଏବେ ପ୍ରଶ୍ନ କିଏ ଏ ଟଙ୍କା ଆଦାୟକାରୀ? ବାହାର ରାଜ୍ୟର ଗାଡି ଅଟକାଇ ଟଙ୍କା ଅାଦାୟ କରିବାକୁ ଏମାନଙ୍କୁ ଅନୁମତି ଦେଲା କିଏ? ସରକାରୀ କର୍ମଚାରୀ ନ ହୋଇ କିପରି ଭାବେ ଆର୍‌ଟିଓଙ୍କ ସରକାରୀ ଗାଡିକୁ ବ୍ୟବହାର କରୁଛନ୍ତି? ଯାହାକୁ ନେଇ ସନ୍ଦେହ ଓ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ଓ ଟ୍ରକ୍‌ ଡ୍ରାଇଭର।

ଦେଶରେ ଏକକ ଟିକସ ବ୍ୟବସ୍ଥା ବା ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟରେ ସମସ୍ତ ଆନ୍ତଃରାଜ୍ୟ ଟୋଲ୍ ଗେଟ୍ ଏପ୍ରିଲ ୨୦୧୭ରୁ ରାଜ୍ୟ ସରକାର ବନ୍ଦ ଘୋଷଣା କରି ସାରିଛନ୍ତି। ସେହି ଅନୁସାରେ ସବୁ ଆନ୍ତଃରାଜ୍ୟ ଟୋଲ୍‌ ଗେଟ୍‌ରେ ବି ଟିକସ ଆଦାୟ ବି ବନ୍ଦ ହୋଇଛି। ତେବେ ଖୋଦ୍ ପରିବହନ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସଲାସୁତରାରେ ଓ ଦଲାଲ୍ ଚଳାଇଛନ୍ତି ଏଭଳି ମହା ଲୁଟ୍।

You might also like