ପ୍ରଧାନଶିକ୍ଷକଙ୍କ ନାମରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର୍‌ ଅଭିଯୋଗ

ଗଜପତି: ଗଜପତି ଜିଲ୍ଲା ମୋହନା ପାଣିଗାଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ ହୋଇଛି। ଏହି ଘଟଣାରେ ଗ୍ରାମବାସୀ ୪୨ ବସ୍ତା ଚାଉଳ ଜବତ କରିଛନ୍ତି।

ସ୍କୁଲର ପ୍ରଧାନ ଶିକ୍ଷକ ମାର୍କ ଦଳବେହେରା ଗତ ୧୧ ତାରିଖରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ୪୨ ବସ୍ତା ଚାଉଳ ସ୍କୁଲକୁ ନ ଆଣି ଗାଁର ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ବ୍ୟକ୍ତିଙ୍କ ଗୋଦାମରେ ରଖିଥିବା ଅଭିଯୋଗ ହୋଇଥିଲା।

ଗ୍ରାମବାସୀ ଓ ଯୁବକ ସଂଘ ଉକ୍ତ ଘରକୁ ତାଲା ପକାଇ ପୁଲିସକୁ ଜଣାଇଥିଲେ। ଅଭିଯୋଗ ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପହଞ୍ଚି ଘଟଣା ଅନୁଧ୍ୟାନ କରିଛନ୍ତି।

ପ୍ରଧାନଶିକ୍ଷକ ଆଗରୁ ମଧ୍ୟ ବାରମ୍ବାର ଚାଉଳ ହେରଫେର କରୁଥିବା ଅଭିଯୋଗ କରି ଗ୍ରାମବାସୀ କଡ଼ା ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଧାନଶିକ୍ଷକ କହିଛନ୍ତି, ମିଟିଙ୍ଗ୍ ପାଇଁ ସେ ଅନୁପସ୍ଥିତ ଥିବାରୁ ଚାଉଳ ସ୍କୁଲକୁ ଆଣି ପାରିନଥିଲେ। ସେଥିପାଇଁ ଗାଡି ମାଲିକ ସୁରେନ୍ଦ୍ର ଆଣି ଘରେ ରଖିଥିଲେ। ତେବେ ଏହି ଘଟଣାରେ ବିଡିଓ କହିଛନ୍ତି, ଘଟଣାର ତଦନ୍ତ କରି ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

You might also like