ରାଜ୍ୟରେ ମନରେଗାର ଦୟନୀୟ ସ୍ଥିତି

ବର୍ଷ ବର୍ଷ ଧରି ହିତାଧିକାରୀଙ୍କୁ ମିଳୁନି ପାରିଶ୍ରମିକ

ଭୁବନେଶ୍ୱର : ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ବା MGNREGS ଯୋଜନାରେ ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ। ବର୍ଷ ବର୍ଷ ଧରି ବି ପାଉଣା ଅପେକ୍ଷାରେ ଅଛନ୍ତି ବହୁ ହିତାଧିକାରୀ। ଏହି ଯୋଜନାରେ ଶ୍ରମଦାନର ୧୫ ଦିନ ଭିତରେ ପ୍ରାପ୍ୟ ମିଳିବାର ନିୟମ ଥିଲେ ବି ଏ ଅନୁଶାସନ ପ୍ରତି ଯେମିତି ଅାଖି ବୁଜି ଦେଇଛନ୍ତି ସରକାର।

ଏ ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମକ୍ରିପାଲା ଯାଦବ।  ଏପଟେ ଅାମ ରାଜ୍ୟରେ MGNREGS ଯୋଜନାରେ ଶ୍ରମିକଙ୍କୁ ଅର୍ଥ ନମିଳିବା ପ୍ରସଙ୍ଗରେ ପରସ୍ପରକୁ ଦୋଷ ଲଦିଛନ୍ତି ବିଜେପି ଓ ବିଜେଡି। ଅାଉ କଂଗ୍ରେସ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଦାୟୀ କରିଛି। ୮ ବର୍ଷ ବିତିଗଲାଣି, ହେଲେ କାମ କରି ବି ପାରିଶ୍ରମିକ ପାଇ ନାହାନ୍ତି MGNREGS ହିତାଧିକାରୀ। ଜଣେ କି ଦୁଇ ଜଣ ନୁହନ୍ତି, ପ୍ରାପ୍ୟରୁ ବଞ୍ଚିତ ହୋଇଛନ୍ତି ୨୫ରୁ ଅଧିକ ଶ୍ରମିକ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଚମ୍ପାଦୋରା ଗାଁରେ ୨୦୧୦ରେ MGNREGS ଯୋଜନାରେ ଖୋଳାଯାଇଥିଲା ଏ ପୋଖରୀ। ୫୦ ହଜାର ଟଙ୍କାର ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପାଇଥିଲେ ଧବଳି ସାହୁ। ପୋଖରୀ ତ ଖୋଳା ହେଲା, ହେଲେ ଅାଜି ଯାଏଁ ହିତାଧିରୀଙ୍କ ଅାକାଉଣ୍ଟକୁ ଟଙ୍କାଟିଏ ବି ଯାଇନି।

ସମାନ ଅଭିଯୋଗ ଅାସିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍ ସାନଜଲ ଗାଁରୁ। ଏଠିବି MGNREGS ଯୋଜନାରେ ୪ ବର୍ଷ ପୂର୍ବରୁ ରାସ୍ତା ନିର୍ମାଣ ସରିଛି। ହେଲେ କାମ କରି ବି ପାଉଣା ଅପେକ୍ଷାରେ ଅଛନ୍ତି ପ୍ରାୟ ୫୦ରୁ ଅଧିକ ହିତାଧିକାରୀ। ମନରେଗା ଯୋଜନାରେ ହିତାଧିକାରୀଙ୍କୁ ବର୍ଷ ବର୍ଷ ଧରି ମଜୁରୀ ନମିଳିବା ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି। ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଶ୍ରମିକଙ୍କୁ ପାରିଶ୍ରମିକ ନମିଳିବା ପଛରେ କେନ୍ଦ୍ର ଦାୟୀ। ଯୋଜନା ବାବଦକୁ କେନ୍ଦ୍ର ଯେଉଁ ଅର୍ଥ ଦେବା କଥା ତାହା ଠିକ୍ ସମୟରେ ଦେଉନି। ଏ ଯୋଜନାରେ କେନ୍ଦ୍ର ମୋଟ ୨ ହଜାର ୭୬୬ କୋଟି ୮୭ ଲକ୍ଷ ଟଙ୍କା ଦେବା କଥା ହେଲେ ଅଗଷ୍ଟ ସୁଦ୍ଧା ମିଳିଛି ମାତ୍ର ୧ ହଜାର ୨୨୪ କୋଟି ଟଙ୍କା।

ଅବଶିଷ୍ଟ ଟଙ୍କା ଅାସନ୍ତା ବର୍ଷକୁ ଦେବାକୁ ସ୍ଥିର କରିଥିବାରୁ ଏଭଳି ସମସ୍ୟା ଉପୁଜିଛି। ବିଜେପି କହିଛି, ରାଜ୍ୟ ସରକାର ଖର୍ଚ୍ଚ କରୁଥିବା ଅର୍ଥର ୟୁସି କେନ୍ଦ୍ରକୁ ଦେଇ ପାରୁନାହାନ୍ତି। ହିସାବ ଦେବାରେ ଅବହେଳା ଯୋଗୁଁ ଟଙ୍କା ପାଇବାରେ ଅସୁବିଧା ହେଉଛି। ସେପଟେ ଯୋଜନାକୁ ଠିକରେ କାର୍ଯ୍ୟକାରୀ କରାଯାଉନଥିବା ପଛରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ। ମନରେଗା ଯୋଜନାରେ ପାରିଶ୍ରମିକ ପ୍ରଦାନରେ ବିଳମ୍ବ ନେଇ ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ଯୋଜନାର ନିୟମ ଅନୁସାରେ ମାଷ୍ଟର ରୋଲ ବନ୍ଦ ର୧୫ ଦିନ ପରେ ଶ୍ରମିକଙ୍କୁ ମଜୁରୀ ନମିଳିଲେ ଦୈନିକ ୦.୦୫ ପ୍ରତିଶତ ହାରରେ କ୍ଷତିପୂରଣ ଦେବାର ନିୟମ ରହିଥିବା ମନ୍ତ୍ରୀ କହିଛନ୍ତି। ଅାଉ ଏହି କ୍ଷତିପୂରଣ ବାବଦକୁ ଓଡ଼ିଶା ଗତ ୩ ବର୍ଷରେ ପ୍ରାୟ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଗଣିଥିବା ମନ୍ତ୍ରୀ ତଥ୍ୟ ରଖିଛନ୍ତି।

You might also like