ପିଏମ୍ କିଷାନ ସହ କାଳିଆର ମିଶ୍ରଣ: ଏତିକି ମିଳିବ ଟଙ୍କା

ଭୁବନେଶ୍ୱର: ପିଏମ୍ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, କାଳିଆ ଯୋଜନା ଚାଲୁ ରହିବ। କିନ୍ତୁ କାଳିଆ ସହିତ କେନ୍ଦ୍ର ସରକାରଙ୍କର ଯୋଜନା ପି ଏମ କିଷାନ ମିଶ୍ରଣ ହେବ। ଏବଂ କାଳିଆ ଲାଭ ଲୋକଙ୍କ ପାଖକୁ ଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି କାଳିଆ ଯୋଜନା ୨ୟ କିସ୍ତି ଚାଲିଛି। ତେଣୁ ଏହା ଆଗକୁ ଚାଲିବ ବୋଲି ଅରୁଣ ସାହୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପିଏମ୍ କିଷାନରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶ୍ରଣକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିସାରିଛି। ମିଳିଥିବା ସୂଚନା ଅନୁସାରେ କାଳିଆର ଗାଇଡ୍‌ଲାଇନକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର।

ନୂଆ ଗାଇଡ୍‌ଲାଇନ ଅନୁସାରେ, ପିଏମ କିଷାନ ସହ ମିଶ୍ରଣ ପରେ ଚାଷୀଙ୍କୁ ୧୦ ହଜାର ବଦଳରେ ରାଜ୍ୟ କେବଳ ୪ ହଜାର ଟଙ୍କା ଦେବ। ବାକି ୬ ହଜାର କେନ୍ଦ୍ରର ପିଏମ କିଷାନ ଯୋଜନାରେ ଚାଷୀ ଯେମିତି ପାଉଥିଲେ ପାଇବେ। ସେପଟେ ବିଜେପି କହିଛି, ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଯାହା କରୁଥିଲେ ଡ୍ରାମା କରୁଥିଲେ। କଂଗ୍ରେସ ମଧ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛି।

କେବଳ ବିରୋଧୀ ନୁହଁନ୍ତି ନବନିର୍ମାଣ କୃଷକ ସଂଗଠନ ମଧ୍ୟ କିଶାନ କାଳିଆ ମିଶ୍ରଣ ଶତାବ୍ଦୀର ସବୁଠୁ ବଡ଼ ବିଶ୍ୱାସଘାତକତା ବୋଲି କହିଛନ୍ତି। ଅଣ୍ଟିରେ ନ ଥାଇ ଧନ, ପୁଅ ବାହା କରିବାକୁ ମନ ଭଳି ମୁଖ୍ୟମନ୍ତ୍ରୀ ନିର୍ବାଚନକୁ ଦେଖି କାଳିଆ ଘୋଷଣା କରିଥିଲେ ବୋଲି କୃଷ୍କ ସଂଗଠନ କହିଛି। ଭୋଟ୍ ହାତେଇବା ପାଇଁ କାଳିଆ ଚାଲ୍ ତାହା ଧରାପଡ଼ିଗଲା ବୋଲି କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ଏଥିସହିତ ଏନେଇ ସଂଗଠନ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

You might also like