ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର/ନୂଆଦିଲ୍ଲୀ: ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା। ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି।

ଗତକାଲି ରାଜ୍ୟରେ ୧୨ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାରେ ୮.୨ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ ,କୋରାପୁଟ ଓ ସୁନ୍ଦରଗଡ଼ରେ ୯ ଡିଗ୍ରୀ, ତାଳଚେରରେ ୯.୩ ଡିଗ୍ରୀ, କେନ୍ଦୁଝରରେ ୯.୪ ଡିଗ୍ରୀ, ଭବାନୀପାଟଣାରେ ୯.୬ ଡିଗ୍ରୀ, ସୋନପୁରରେ ୯.୬ ଡିଗ୍ରୀ, ବଲାଙ୍ଗିରରେ ୯.୮ ଡିଗ୍ରୀ ଓ ରାୟଗଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ  କରାଯାଇଥିଲା। 

ସୂଚନାଥାଉ କି, ଶନିବାର ରାଜ୍ୟରେ ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ କରାଯାଇଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, କୋରାପୁଟରେ ୮.୨ ଡିଗ୍ରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୮.୫ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ପ୍ରବଳ ଶୀତ ଯୋଗୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି। କିଏ ନିଆଁ ଜାଳି ଶୀତ ଦାଉରୁ ନିଜକୁ ରକ୍ଷା କରୁଛି ତ କିଏ ଶୀତ ଛଡ଼ାଇବା ପାଇଁ ଖେଳକୁଦରେ ବ୍ୟସ୍ତ ରହୁଛନ୍ତି।

କିଛି ସ୍ଥାନରେ କୁହୁଡ଼ି ଯୋଗୁ ମଧ୍ୟ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ତେବେ ରାଜ୍ୟରେ ଶୀତ ପ୍ରକୋପ ଗୋଟିଏପଟେ ବଢୁଥିବାରୁ ସକାଳୁ ସକାଳୁ ଚା’ ଦୋକାନରେ ପ୍ରବଳ ଭିଡ ଜମିବାରେ ଲାଗିଛି। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ। ପ୍ରକୃତି ଏଠାରେ ନିଆରା।

ଅନ୍ୟପକ୍ଷେ, ଡିସେମ୍ବର ୨୯ରୁ ଦିଲ୍ଲୀ ସମେତ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବା ସହ ଆହୁରି ଅଧିକ ଶୀତ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

You might also like