ହଜି ଯାଇଛି ପୁଅ : ଟାଣ ଖରାରେ ଫଟୋ ଧରି ଗାଁ ଗାଁ ପାଗଳ ଭଳି ଖୋଜୁଛନ୍ତି ବାପାମା’

ଅଭିଶପ୍ତ ଜୀବନ :”ଫେରିଆ ଧନ’

ରେଢାଖୋଲ(ରମାକାନ୍ତ ମହାନନ୍ଦ) : ଅଭିଶପ୍ତ ଜୀବନ । ହସଖୁସିର ପରିବାରରେ ହଠାତ ମାଡି ଆସିଲା କଳାବାଦଲ, ଯୁବ ଅବସ୍ଥାରେ ପରିବାରର ୪ ପୁଅ ମାନସିକ ରୋଗଗ୍ରସ୍ତ ହୋଇଗଲେ । ବୟସର ଅପରାହ୍ନରେ ପୁଅମାନେ ଆଶାବାଢି ସାଜିବେ ବୋଲି ଆଶା ରଖିଥିଲେ ବୁଢ଼ା ବାପାମା’ । ହେଲେ ଭାଗ୍ୟ ସେତକି କରାଇଲା ନାହିଁ, କିଛିଦିନ ହେବ ୨ ନମ୍ବର  ପୁଅ ନିଖୋଜ ହୋଇଯାଇଛି । ପୁଅକୁ ଖୋଜିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ବୁଢା ବାପାମା । ଏପଟେ ନିଖୋଜ ପୁଅର ବେଦନା ସେପଟେ, ଅନ୍ୟ ତିନି ପୁଅଙ୍କ ମାନସିକ ରୋଗ ଯୋଗୁଁ ଦିନରାତି ବୃଦ୍ଧ ଦମ୍ପତିଙ୍କ ଆଖିରୁ ଶୁଖୁନି ଲୁହ ।

ପରିଣତ ବୟସରେ ଆଖିରୁ ଧାର ଧାର ଲୁହ ଝରୁଛି । ହଜିଲା ପୁଅକୁ ପାଇବାର ଆଶାରେ  ଟାଣ ଖରାରେ ପୁଅର ଫୋଟକୁ ଧରି ଗାଁ ଗାଁ ପାଗଳ ଭଳି ଖୋଜୁଛନ୍ତି ଏହି ବୃଦ୍ଧ ଦମ୍ପତି । କେତେବେଳେ ଚାଲି ଚାଲି ତ , ଆଉ କେତେବେଳେ ବୁଢା ବାପା ସାଇକଲ ଧରି ଘୁରି ବୁଲୁଛି ସହର ସାରା । ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିର ଗଣେଷନଗରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ନାରାୟଣ ପ୍ରସାଦ ମହାରଣା ଓ ସ୍ତ୍ରୀ ମାଳତୀଙ୍କ ୪ ପୁଅ । ଚାରି ପୁଅ ମାନିସିକ ରୋଗରେ ପୀଡିତ ଥିବାବେଳେ ଦ୍ୱିତୀୟ ପୁଅ ଆଦିତ୍ୟ ମହାରଣା  ଚଳିତ ମାସ ୧୨ ତାରିଖ ଦିନ ଘରୁ ନିଖୋଜ ହୋଇଯାଇଛି । ଆଉ ସେଇ ଦିନଠୁ ବାପାମାଙ୍କ ଆଖିରେ ନିଦ ନାହିଁ । ଥାନାରେ ଜଣାଇ ନିଜେ ଫୋଟ ଧରି ହଜିଲା ପୁଅର ସନ୍ଧାନରେ ଲାଗିଛନ୍ତି । ସମସ୍ତଙ୍କ ମଧ୍ୟରୁ ଆଦିତ୍ୟ ଟିକିଏ ଭିନ୍ନ । ଆଦିତ୍ୟ ଖଲିକୋର୍ଟ କଲେଜରେ ଚିତ୍ରକଳାରେ ଡିଗ୍ରୀ କରି ଦିଲ୍ଲୀରେ ପିଜି କରିଛନ୍ତି । ଏବଂ ସ୍ଥାନୀୟ ମୁଚିବାହାଲ ସ୍କୁଲରେ ଶିକ୍ଷକତା କରୁଥିଲେ । ଚିତ୍ରକଳାରେ ବିଭିନ୍ନ ସ୍ଥାନରୁ ପୁରସ୍କାର ବି ପାଇଛନ୍ତି ଆଦିତ୍ୟ । କିନ୍ତୁ ଏହି ବର୍ଷ ହଠାତ ତିନି ଭାଇଙ୍କ ଭଳି ମାନସିକ ଭାରସାମ୍ୟ ହରାଲେ ଆଦିତ୍ୟ । ହେଲେ କିଛି ମାସ ହେଲା ମାନସିକ ବିକୃତି ପରେ ଏସବୁ ହେଲା ବୋଲି ବାପା କହୁଥିବା ବେଳେ  କିନ୍ତୁ ମାଁ ମନ କିନ୍ତୁ ମାନୁନି । ମୋପୁଅ ଭଲ ,ତାର କିଛି ହୋଇନି ସେ ପୁଣି ମୋକୋଳକୁ ଫେରିବ ବୋଲି ବାହୁନି ବାହୁନି କାନ୍ଦି କୁହନ୍ତି ।

ନାରାୟଣ ପ୍ରସାଦ ମହାରଣା ବିଦ୍ୟୁତ ବିଭାଗର ଅବସର ପ୍ରାପ୍ତ ଲାଇନମେନ । ୪ ଜଣ ପୁଅକୁ ନେଇ ସଂସାର । ସମସ୍ତ ପିଲା ଉଚ୍ଚଶିକ୍ଷିତ । ହେଲେ ଭାଗ୍ୟର ବିଡମ୍ବନା ଦେଖନ୍ତୁ, ସମସ୍ତଙ୍କ ମାନସିକ ରୋଗରେ ପୀଡିତ । ଜୀବନର ଶେଷ ସମୟରେ ପିଲାମାନେ ସାହା ହେବେ ବୋଲି ଆଶା ଥିଲା ସେତକ ତ ଭାଗ୍ୟରେ ନଥିଲା ଏବେ ପ୍ରତିଦିନ ଯନ୍ତ୍ରଣାରେ କଟୁଛି ଜୀବନ । ହଜିଲା ପୁଅକୁ ପାଇବା ପାଇଁ ବାପାମା’ କେତେ କଷ୍ଟ କରୁଛନ୍ତି ତାହା ଦେଖି ସାହିପଡୋଶୀଙ୍କ ଆଖିରେ ମଧ୍ୟ ଲୁହ ଆସିଯାଉଛି । ଏବଂ ଆଦିତ୍ୟର ସନ୍ଧାନ ମିଳିଲେ ଜଣାଇବାକୁ ଅନୁରୋଧ କରିଛନ୍ତି ।

You might also like