ମେଗାଷ୍ଟାର ଚିରଞ୍ଜୀବଙ୍କ ମୁହଁରେ ଓଡ଼ିଆ ଏସ୍‌ଆଇଙ୍କ ପ୍ରଶଂସା

ମାଲକାନଗିରି: ଭଲ କାମ ପାଇଁ ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ଏସ୍‌ଆଇ ଶୁଭଶ୍ରୀ ଭବାନୀ ନାୟକ। ଏଥର ତାଙ୍କୁ ପ୍ରଶଂସା କରିଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜୀବ। ଗତକାଲି ମଦର୍ସ ଡେ’ ଅବସରରେ ଚିରଞ୍ଜୀବ ନିଜ ଟ୍ୱିଟର୍‌‌ ପେଜ୍‌ରେ ଏକ ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ସେ ଶୁଭଶ୍ରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

ପୁଲିସ୍‌ ଚାକିରି ଭଳି କଠୋର ଦାୟିତ୍ୱ ଭିତରେ ଜଣେ ଅସହାୟ ବୃଦ୍ଧାଙ୍କୁ ମା’ ଭଳି ସ୍ନେହ ଦେଇ ଖୁଆଇ ଦେବା ନେଇ ଶୁଭଶ୍ରୀଙ୍କୁ ପ୍ରଶଂସା କରିଛନ୍ତି ଚିରଞ୍ଜୀବ।

ଗତ ଏପ୍ରିଲ ମାସରେ ଶୁଭଶ୍ରୀ ମାଲକାନଗିରି ଓ ଛତିଶଗଡ଼ ସୀମାରେ ଡ୍ୟୁଟିରେ ଥିଲେ। ଏହି ସମୟରେ ଭୋକରେ ଆଉଟୁପାଉଟୁ ହେଉଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ନିଜ ଖାଦ୍ୟ ସେ ଖୁଆଇ ଦେଇଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍‌ କରି ତାଙ୍କୁ ପ୍ରଶଂସା କରିଥିଲେ। ଶୁଭଶ୍ରୀଙ୍କ ଏଭଳି ମହାନତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

You might also like