ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ନୀତିକାନ୍ତି ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୪ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କର କିଭଳି ନୀତିକାନ୍ତି ରହିବ, ସେନେଇ ଭୁବନେଶ୍ୱର ସର୍କିଟ୍‌ ହାଉସ୍‌ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରାତି ୧୦ ଟାରେ ମହାଦୀପ ଉଠିବାନେଇ ସମୟ ଧାର୍ଯ୍ୟ ହୋଇଛି। ଏହାସହ ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ତେବେ ବୈଠକରେ ତିନି ପ୍ରମୁଖ ନିଯୋଗର ସେବାୟତ ଯୋଗ ଦେଇନଥିଲେ।

ଗତବର୍ଷ ୩ ଘଣ୍ଟା ବିଳମ୍ବରେ ମହାଦୀପ ଉଠିଥିଲା। କିନ୍ତୁ ଚଳିତ ବର୍ଷ ଯେଭଳି ସେହି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଜାଗର ପାଇଁ ତିନି ନିଯୋଗ ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି। ମହାଶିବରାତ୍ରି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାକିଥିବା କାମ ମାର୍ଚ୍ଚ ପହିଲା ସୁଦ୍ଧା ଶେଷ ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

You might also like