ସାଢେ ତିନି ବର୍ଷର ସ୍ପ୍ରିଙ୍ଗ ଗର୍ଲ ପ୍ରିୟଦର୍ଶିନୀ 

ନିଖୁଣ ଏବଂ ନିର୍ଭୁଲ ଭାବେ ପ୍ରଦର୍ଶନ କରୁଛି ଯୋଗର ସମସ୍ତ ମୁଦ୍ରା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ର କୁନି ରାମଦେବ । ମାତ୍ର ସାଢେ ତିନି ବର୍ଷର କୁନି ଝିଅ ଟିଏ, ନିଖୁଣ ଏବଂ ନିର୍ଭୁଲ ଭାବେ ପ୍ରଦର୍ଶନ କରୁଛି ଯୋଗର ସମସ୍ତ ମୁଦ୍ରା । ଚକ୍ରାସନ, ମତ୍ସ୍ୟାସନ,  ବୃଶ୍ଚିକାସନ, ଭୂନମାସନ, ପଦାହସ୍ତାସନ, ପଶ୍ଚିମତାନାସନ ଆଦି ଅନେକ କଷ୍ଟ ଆସନକୁ ଅତି ସହଜରେ କରି ପାରୁଛି । ଏମିତି ସବୁ ଆସନ କରୁଛି ଯେ ଯେ କେହି ଥରେ ଚିନ୍ତା କରିବ, କୁନି ଝିଅ ଦେହରେ ହାଡ଼ ଅଛି ତ । ତାର ଏହି କୌଶଳ ପାଇଁ ତାକୁ ସମସ୍ତେ ସ୍ପ୍ରିଙ୍ଗ ଗାର୍ଲ ବୋଲି କହୁଛନ୍ତି । କାରଣ ଯେଉଁ ସବୁ ଆସନ ବଡ଼ ବଡ଼ ଯୋଗ ଗୁରୁ କରି ପାରନ୍ତି ନାହିଁ ସେସବୁ ଅତି ଆରାମରେ କରି ପାରୁଛି । ତେବେ ତାର ଏହି ସ୍ପ୍ରିଂଗ ଗାର୍ଲ ହେବା ପଛରେ ରହିଛି ଏକ ସ୍ୱତନ୍ତ୍ର କାହାଣୀ ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର ସାଢ଼େ ତିନି ବର୍ଷ ଝିଅ ପ୍ରିୟା ପ୍ରିୟଦର୍ଶିନୀ ନାୟକ । ୨୦୧୭  ଅକ୍ଟୋବର ୧ ତାରିଖରେ ଜନ୍ମ । ବାପା ବିଜୟ ନାୟକ ଏବଂ ମା ବିଷ୍ଣୁପ୍ରିୟାଙ୍କର ଦୁଇ ଝିଅ ମଧ୍ୟରୁ ସାନ ଝିଅ  ପ୍ରିୟଦର୍ଶିନୀ ଓରଫ୍ ପ୍ରିୟା । ବୟସ ସିନା କମ୍ କିନ୍ତୁ କାରନାମା କୌଣସି ପ୍ରସିଦ୍ଧ ଯୋଗଗୁରୁଙ୍କ ଠାରୁ କମ୍ ନୁହେଁ । ଅଳ୍ପ ବୟସରୁ ନିରନ୍ତର ଅଭ୍ୟାସ ବଳରେ ସବୁପ୍ରକାର ଯୋଗମୁଦ୍ରା ଅତି ସହଜରେ ହସ୍ତଗତ କରିପାରିଛି ।

ପ୍ରିୟାଙ୍କ ବାପା ବିଜୟ ପିଲା ବେଳୁ ଜିମ୍ନାଷ୍ଟିକ ଯିବା ପାଇଁ ଅଭ୍ୟାସ କରୁଥିଲେ । ଏଥିପାଇଁ କଠୋର ପରିଶ୍ରମ ମଧ୍ୟ କରୁଥିଲେ । ମାତ୍ର ଦାରିଦ୍ର୍ୟତା କାରଣରୁ ଆବଶ୍ୟକୀୟ ତାଲିମ ଗ୍ରହଣ କରି ପାରିନଥିଲେ  । ବିଜୟଙ୍କ ସ୍ୱପ୍ନ ସ୍ୱପ୍ନରେ ରହି ଯାଇଥିଲା । ତେବେ ବିବାହ ପରେ ବଡ଼ ଝିଅକୁ ଜିମ୍ନାଷ୍ଟିକ ପାଇଁ ପ୍ରସ୍ତୁତ କରିବାକୁ ବହୁ ଚେଷ୍ଟା କଲେ ବିଜୟ । ମାତ୍ର ସେଥିରେ ଆଗ୍ରହ ଦେଖାଇ ନଥିଲା ବଡ଼ ଝିଅ ଲକ୍ଷ୍ମୀପ୍ରିୟା ।

ସାନ ଝିଅ ପ୍ରିୟା ଜନ୍ମ ହେବାର ୧୨ ଦିନରୁ ହିଁ ନିଜର ଅଭିଯାନ ଆରମ୍ଭ କରି ଦେଇଥିଲେ ବିଜୟ । ମାତ୍ର ୧୨ ଦିନରୁ ଝିଅ ଦେହରେ ନିଜେ ତେଲ ଘଷିବା ସହ ତାର ଅସ୍ଥିକୁ କୋମଳ କରିଥିଲେ ।  ପ୍ରିୟାକୁ ମାତ୍ର ଏକ ବର୍ଷ ହୋଇଥିବା ବେଳେ ସାଧନା ଆରମ୍ଭ କରିଦେଇଥିଲେ । କୁନି ବୟସରୁ ଯୋଗ୍ ଅଭ୍ୟାସ କରୁଥିଲା । ବର୍ତ୍ତମାନ ପ୍ରିୟା ଯୋଗର ସମସ୍ତ କଷ୍ଟସାଧ୍ୟ ଆସନ ନିର୍ଭୁଲ ଭାବେ କରିପାରୁଛି । ତେବେ ଭବିଷ୍ୟତରେ ପ୍ରିୟା ଜିମ୍ନାଷ୍ଟିକ ତଥା ଯୋଗ ଗୁରୁ ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଜୟ । ତେବେ ଏଥିପାଇଁ ଉନ୍ନତ ମାନ  ତାଲିମ ପାଇଁ ସରକାରଙ୍କୁ ପ୍ରୋତ୍ସାହନ ନିବେଦନ କରିଛନ୍ତି ବିଜୟ ।

 

 

You might also like