”ସାପ ମୋ ସାଙ୍ଗ, ସେମାନଙ୍କ ସୁରକ୍ଷା ମୋର ଦାୟିତ୍ୱ’

ବିନା ଡର ଭୟରେ ବିଷଧର ସାପକୁ ଧରନ୍ତି କଲେଜ ପଢ଼ୁଆ ଝିଅ ସୌମ୍ୟା

ବାରିପଦା(ମାନିକ୍ ଲାଲ୍ ପାଣି) : ମୁଁ ସାପକୁ ବହୁତ ଭଲ ପାଏ । ସାପ ମୋର ସାଙ୍ଗ, ସେମାନଙ୍କ ସୁରକ୍ଷା ମୋର ଦାୟିତ୍ୱ । ବିଷଧର ସାପ ପ୍ରେମରେ ଯୁବତୀ । ବାପାଙ୍କ ସାପଧରା ଦେଖି ସେ ପଡ଼ିଥିଲେ ସାପ ପ୍ରେମରେ । ସାପକୁ ଉଦ୍ଧାର କରୁଥିବା ଅନେକ ଲୋକଙ୍କ ବିଷୟରେ ଜଣାଥିବ,କିନ୍ତୁ ଜଣେ ଝିଅ ପିଲା ସାହସର ସହ ସାପ ଧରିବା ବୋଧହୁଏ ଜାଣିନଥିବେ । ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ କଲେଜ୍ ପଢ଼ୁଆ ଝିଅ ସୌମ୍ୟା । ସେ ଅଦମ୍ୟ ସାହସରେ ସହିଦ ସାପ ଧରିବା ସହ ନିଜକୁ ସାପର ସାଥୀ ବୋଲି କୁହନ୍ତି ।

ସୌମ୍ୟାଙ୍କ ହାତରେ କେତେବେଳେ ଥାଏ ନାଗ, ବାରଣାଚିତି , ରଣା ତମ୍ପ, ଧଣ୍ଡ, ନାଉଡଙ୍କିଆ ତ ଆଉ କେତେବେଳେ  ବିଷଧର ଚନ୍ଦ୍ରବୋଡ଼ା ଓ ଅଜଗର । ବାରିପଦା ସହର ଭଂଜପୁର ବ୍ରାହ୍ମଣ ଶାସନ ଅଞ୍ଚଳର ସୈମ୍ୟା ଏବେ ସ୍ଥାନୀୟ ବାରିପଦା କଲେଜର ଯୁକ୍ତ ତିନି ବିଜ୍ଞାନର ଛାତ୍ରୀ । କଲେଜରେ ଅନେକ ଝିଅ ଅଛନ୍ତି ହେଲେ, ସେ କିନ୍ତୁ ଅନ୍ୟ ମାନଙ୍କ ଅପେକ୍ଷା ଟିକେ ଭିନ୍ନ । ବିନା ପ୍ରଶିକ୍ଷଣରେ ଭୟଙ୍କର ବିଷଧର ସାପକୁ ଧରିବାର କଳା ହସ୍ତଗତ କରିଛନ୍ତି । କାହା ଘରେ ସାପ ପଶିଲେ ତାଙ୍କୁ ଡକାପଡ଼େ । ସାପକୁ ଏତେ ଭଲ ପାଉଥିବା ନିଆରା ମଣିଷଟି କିନ୍ତୁ ପୂର୍ବରୁ ସାପକୁ ଦେଖିଲେ ଭାରି ଭୟ କରୁଥିଲେ । ହେଲେ ସୌମ୍ୟା କହନ୍ତି  ସାପକୁ ଯେବେ ଠାରୁ ଭଲ ପାଇବା ଆରମ୍ଭ କଲେ, ସେବେଠାରୁ ସେ ଖୁବ୍ ଖୁସି ଏବଂ ସହଜରେ ସାପ ଧରୁଛନ୍ତି ।

ସୈମ୍ୟା ତାଙ୍କ ବାପା ଜଜାତୀଙ୍କ ଠାରୁ ଶିଖିଛନ୍ତି ସାପ ଧରିବା । ବାରିପଦା ଏବଂ ଆଖପାଖ ଅଞ୍ଚଳରେ କେଉଁଠି ସାପ ବାହାରିଲେ ପୂର୍ବରୁ  ଖବର ଆସୁଥିଲା ଜଜାତୀଙ୍କ ପାଖକୁ । ହେଲେ ବ୍ୟସ୍ତବହୁଳ ଜୀବନରେ ବାପା ନଯାଇ ପାରିଲେ ହାତରେ ବାଡି ଓ ସାପ ଧରା ଯନ୍ତ୍ର ଧରି ସୈମ୍ୟା ବାହାରୀ ପଡନ୍ତି ସେଠାକୁ । ଏବେ ବାପାଙ୍କ ସ୍ଥାନ ନେଇସାରିଛନ୍ତି ତାଙ୍କ ସାହସୀ ଝିଅ । ସୈମ୍ୟାଙ୍କ ସାହସ ଏବଂ ସାପ ପ୍ରତି ଭଲ ପାଇବକୁ ଦେଖି ସେ ଅନେକଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ସୌମ୍ୟା କେବଳ ଯେ କେବଳ ସାପକୁ ଭଲ ପାଆନ୍ତି ତା ନୁହେଁ ବରଂ ସେ ସମସ୍ତ ବନ୍ୟ ଜନ୍ତୁଙ୍କୁ ଭଲ ପାଇବା ସହ ସେମାନଙ୍କ ସୁରକ୍ଷା ପାଇଁ ଆଗକୁ କାମ କରିବାକୁ ଇଚ୍ଛା ରଖିଛନ୍ତି ।

You might also like