ସିବିଏସ୍ଇ ଢାଞ୍ଚାରେ ହେବ ମାଟ୍ରିକ ମୂଲ୍ୟାୟନ

ଭୁବନେଶ୍ଵର: ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍ଇ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀ ପରୀକ୍ଷାର ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତିକରି ମୂଲ୍ୟାୟନ ହେବ। ଏହା ସହିତ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ଏଣୁ ଏହିସବୁ ପରୀକ୍ଷାର ଟାବୁଲେସନ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷର ମାଟ୍ରିକ ପରୀକ୍ଷା କେନ୍ଦ୍ର ବା ସହଯୋଗୀ କେନ୍ଦ୍ରରେ ଦାଖଲ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ଆଜି ଅର୍ଥାତ ମେ ୩ ତାରିଖ ସୁଦ୍ଧା ଦାଖଲ କରିବାକୁ ରବିବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ତେବେ ବୋର୍ଡର ଏଭଳି ବିଜ୍ଞପ୍ତି ନେଇ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ବା ଓଷ୍ଟା ପ୍ରଶ୍ନ ଉଠାଇଛି। ରବିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବୈଠକ ହେଲା ତା ପରେ ସଂଧ୍ୟାରେ ବିଜ୍ଞପ୍ତି ପ୍ରକାଶ କରାଗଲା ୨୪ ଘଣ୍ଟା ମଧ୍ୟ ସମୟ ଦିଆଯାଇ ନାହିଁ, ଏତେ କମ୍ ସମୟ ଭିତରେ ତଥ୍ୟ ଦାଖଲ କରିବା ଅସମ୍ଭବ ବୋଲି ଓଷ୍ଟା କହିଛି। ସିବିଏସ୍ଇ ଫର୍ମାଟକୁ ବୋର୍ଡ଼ ଯଦି ଆପଣେଇବାରେ ଥିଲା ତେବେ ଶିକ୍ଷକମାନଙ୍କୁ ଅଧିକ ସମୟ ଦେବାର ଥିଲା ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି। ଗତବର୍ଷର ନବମ ପରୀକ୍ଷାର ଶେଷ ପରୀକ୍ଷା ନ ଦିଆଯାଇଥିବା ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ପ୍ରକାଶ ଥାଉକି ଦଶମ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀମାନେ ଫରେଷ୍ଟ ପାର୍କ ନିକଟରେ ଧାରଣାରେ ବସିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଛାତ୍ରଛାତ୍ରୀ ଭେଟିଥିଲେ। ଛାତ୍ରଛାତ୍ରୀଙ୍କ କଥାକୁ ଶୁଣି କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ରୀୟ ବୋର୍ଡ ଭଳି ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର। ସେତେବେଳେ ଛାତ୍ରଛାତ୍ରୀ ଏହାକୁ ସ୍ୱାଗତ କରିଥିବା ବେଳେ କିଭଳି ହେବ ବିକଳ୍ପ ମାର୍କିଂ ବ୍ୟବସ୍ଥା ଓ ତାହା କେତେ ଗ୍ରହଣୀୟ ହେବ ତାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। ଏବେ ସେଥିରେ ପୂର୍ଣ୍ଣଛେଦ ପଡ଼ିବା ସହ ସିବିଏସ୍ଇ ଢାଞ୍ଚାର ମୂଲ୍ୟାୟନ ହେବ ବୋଲି ସ୍ଥିର ହୋଇଛି।

You might also like