ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ପଛର ମାଷ୍ଟରମାଇଣ୍ଡ କିଏ ?

୨୪ ଘଣ୍ଟା ପରେ ବି ଟେର୍ ପାଉନାହାଁନ୍ତି ବୋର୍ଡ କି ପୁଲିସ୍,

ଭୁବନେଶ୍ୱର :  ନୂଆପଡ଼ା, ଢେଙ୍କାନାଳ, କୋରାପୁଟ ଓ ଜଗତସିଂହପୁର ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଜାରି ରହିଛି ତନାଘନା। ଏହି ଘଟଣାରେ ମୋଟ ୧୧ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୮ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି।

ସେହିପରି ଭାଇରାଲ ଘଟଣାରେ ସଂପୃକ୍ତ ୪ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବାଦ୍ ଦିଆଯାଇଛି। ତେବେ ଅସଲ ଭାଇରାଲକାରୀ କିଏ ? କେଉଁଭଳି ପରିସ୍ଥିତିରେ ଏଭଳି ଭାଇରାଲ୍ ହେଲା ? ସେନେଇ ସ୍ପଷ୍ଟ ହୋଇନାହିଁ।

ଘଟଣାର ୨୪ ଘଣ୍ଟା ପରେ ବି କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ନା ବୋର୍ଡ ନା ପୁଲିସ୍‌ କେହିବି ଟେର୍ ପାଇପାରୁନାହାଁନ୍ତି। ଭାଇରାଲ୍ ଘଟଣାରେ ଆଜି ନୂଆପଡ଼ାର କରଙ୍ଗାମାଲ ଓ ଗୋପୀନାଥ ହାଇସ୍କୁଲ୍‌ର ୨ଜଣ ସୁପରିଣ୍ଟେଣ୍ଡେଣ୍ଟ ଓ ୩ଜଣ ଇନ୍‌ଭିଜିଲେଟରଙ୍କ ବିରୋଧରେ ବୋଡେନ୍ ଥାନାରେ ମାମଲା ରୁଜହେବା ପରେ ୫ଜଣ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌।

ସେହିପରି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅନ୍ୟ ଜିଲ୍ଲାର ୬ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଭାଇରାଲ କରିଥିବା କିଛି ପରୀକ୍ଷାର୍ଥୀଙ୍କୁ ମଧ୍ୟ ପରୀକ୍ଷାରୁ ବାଦ୍ ଦିଆଯାଇଛି।

ଫେବୃୟାରୀ ୨୬, ୨୦୧୮। ଅର୍ଥାତ ଗତବର୍ଷ ମଧ୍ୟ ଲିକ୍ ହୋଇଥିଲା ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର। ଆଜିକୁ ବର୍ଷେ ହେଲାଣି ଏହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଅଥଚ ଭାଇରାଲ୍‌କାରୀ କିଏ ? କେମିତି ରୋକାଯିବ ଭାଇରାଲ୍‌କୁ ? କୌଣସି ଯୋଜନା ତିଆରି କରିପାରିଲେନି ରାଜ୍ୟ ସରକାର । ପରିଣାମ ସ୍ୱରୂପ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ସୋପାନ କୁହାଯାଉଥିବା ମାଟ୍ରିକ ପରୀକ୍ଷାରେ ଏବର୍ଷ ବି ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ।

ଏକାଧିକ ସ୍ଥାନରେ ଲିକ୍ ହୋଇଛି ପ୍ରଶ୍ନପତ୍ର। ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି କହିଛନ୍ତି, ଘଟଣା ଉପରେ ନଜର ରଖାଯାଇଛି। ସେପଟେ କ୍ରମାଗତ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଅଭିଭାବକ।

ତେବେ ପ୍ରଥମ ଦିନର ବିଭ୍ରାଟକୁ ନେଇ ଆଶା ଆଶଙ୍କାରେ ଥିବା ଛାତ୍ରଛାତ୍ରୀ ଆସନ୍ତା ସୋମବାର ଦେବେ ଇଂରାଜୀ ବିଷୟରେ ପରୀକ୍ଷା।

You might also like