ମାଟ୍ରିକ ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: କରୋନା କଟକଣା ଭିତରେ ମାଟ୍ରିକ ପରୀକ୍ଷା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫର୍ମ ପୂରଣ ଅନଲାଇନରେ ହେବ ବୋଲି ଆସିଛି ନିର୍ଦ୍ଦେଶାବଳୀ ।
ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଅନଲାଇନ୍ରେ ଫର୍ମ ପୂରଣ ହେବ। ଉଭୟେ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନରେ ଫର୍ମ ଫିଲ୍ ଅପ କରିବେ। ପରୀକ୍ଷା ଦେବାକୁ ଥିବା ରେଗୁଲାର, ଏକ୍ସ ରେଗୁଲାର, କରେସପଣ୍ଡେନ୍ସ ରେଗୁଲାର ଓ ଏକ୍ସ କରେସପଣ୍ଡେନ୍ସ ରେଗୁଲାର ପରୀକ୍ଷାର୍ଥୀମାନେ ୧୦ ତାରିଖରୁ ଫର୍ମ ଫିଲପ୍ କରିପାରିବେ। ସକାଳ ୧୦ଟାରୁ ଫର୍ମ ଫିଲପ୍ ଆରମ୍ଭ ହେବ ଏହା ୨୮ ତାରିଖ ଯାଏ ଚାଲିବ ।
ତେବେ ବିନା ଜରିମାନାରେ ଜାନୁଆରୀ ୨୭ ଫି ଦାଖଲର ଶେଷ ଦିନ ରଖାଯାଇଛି । ବିନା ଜରିମାନାରେ ଜାନୁଆରୀ ୨୮ ଫର୍ମ ଦାଖଲର ଶେଷ ତାରିଖ ରହିଛି । ସେହିପରି ଜରିମାନା ସହ ଜାନୁଆରୀ ୨୮ ଫି ଦାଖଲର ଶେଷ ତାରିଖ ଏବଂ ଜରିମାନା ସହ ଫେବ୍ରୁଆରୀ ୨ ଫର୍ମ ଦାଖଲର ଶେଷ ତାରିଖ ରହିଛି ।
ସୂଚନାଥାଉ କି, ଆସନ୍ତା ଜାନୁଆରୀ ୮ରୁ ସ୍କୁଲ୍ ଖୋଲିବ ଓ ମେ’ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ସ୍କୁଲ୍ ଖୋଲିଲେ କେମିତି କେମିତି ପାଠପଢ଼ା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତକାଲି ସୂଚନା ଦେଇଥିଲେ। ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ, ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢ଼ିବେ। ଅଧିକ ପିଲା ଥିଲେ ଅଧିକ ସେକ୍ସନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟରେ ସାନିଟାଇଜେସନ୍ ଓ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ।
ତେବେ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନି। ସ୍ୱାସ୍ଥ୍ୟ ବିଭାଗ କହିଲେ ସେ ନେଇ ନିଷ୍ପତ୍ତି ନିଆଯିବ । ତେବେ ସିଲାବସ୍ ୩୦% କମିଛି, ଆଉ କମିବ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସ୍ପଷ୍ଟ କରିଥିଲେ।
ସରକାରୀ ନିୟମ ଅନୁଯାୟୀ, କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିପାରିବ। କଣ୍ଟେନମେଣ୍ଟ ଜୋନ୍ର କୌଣସି ଶିକ୍ଷକ, ପିଲା ସ୍କୁଲ ଆସିବା ବାରଣ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ କରାଯିବ। ସ୍କୁଲ୍ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବାକୁ ମଧ୍ୟ ସରକାର ଗାଇଡଲାଇନ୍ରେ ଉଲ୍ଲେଖ କରିଛନ୍ତି।
ସେହିପରି ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି ଏବଂ ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ସ୍କୁଲ୍ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ତା ଛଡ଼ା କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ। କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ। ସେହିପରି କ୍ଲାସ ରୁମ୍ରେ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡ଼ି ବସିବା ପାଇଁ ନିୟମ କଡ଼ାକଡି କରାଯାଇଛି।