ମେ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି। ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା କରାଯିବ। ସେହିପରି ୫ରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ ପରୀକ୍ଷା କରାଯିବ। ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା, ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ, ୧୦ଟା ଯାଏ ଚାଲିବ, ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ମିଳିବ, ୧୦ଟା ୧୫ରେ ସରିବ।

  • ୭ଟା ୪୫ରେ ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ୍ ପ୍ରଶ୍ନପତ୍ର ବଣ୍ଟାଯିବ।
  • ଅବ୍‌ଜେକ୍ଟିଭ୍ ସକାଳ ୮ଟାରୁ ୯ଟା, ସବ୍‌ଜେକ୍ଟିଭ୍ ୯ଟାରୁ ୧୦ଟା ହେବ।
  • ଗଣିତ ଅବ୍‌ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଚାଲିବ।
  • OMRରେ ଅବ୍‌ଜେକ୍ଟିଭ, ବୁକଲେଟ୍‌ରେ ସବ୍‌ଜେକ୍ଟିଭ ଉତ୍ତର ଲେଖିବେ।

ଆଗରୁ ମେରେ ପରୀକ୍ଷା ହେବା ନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ତାହାର କାର୍ଯ୍ୟସୂଚୀ ପ୍ରକାଶ ପାଇନଥିଲା। କିନ୍ତୁ ଆଜି ଏନେଇ ବିଧିବଦ୍ଧ ବାବେ କାର୍ଯ୍ୟସୂଚୀ ଆସିଛି।  ଛାତ୍ରଛାତ୍ରୀମାନେ ଏଥର ୮୦ ମାର୍କର ପରୀକ୍ଷା ଦେବେ। କିନ୍ତୁ ୧୦୦ ମାର୍କରୁ ଫଳାଫଳ ହିସାବ କରାଯିବ। ଅର୍ଥାତ୍ ୮୦ରୁ ଯେତିକି ମାର୍କ ରଖିବେ, ସେହି ଅନୁସାରେ ୧୦୦ରୁ ହିସାବ କରାଯିବ। ପରୀକ୍ଷା ସହଜ ଦୃଷ୍ଟିରୁ ଏଥର ୫୦ ମାର୍କର ଅବଜେକ୍ଟିଭ୍ ରଖାଯାଇଛି। ଏହି ପରୀକ୍ଷା ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ। ୯ଟାରୁ ୧୦ଟା ପର୍ଯ୍ୟନ୍ତ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଦେବେ। ଏଥର ନିଜ କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 

କୋଭିଡ୍‌ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଥିଲା। ତେବେ ରବିବାରରେ ବି ସ୍କୁଲ୍‌ରେ ଚାଲିଛି ପାଠପଢ଼ା। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍‌ ଖୋଲିଛି। ପ୍ରତି କ୍ଲାସ୍‌ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସୁଥିବା ବେଳେ କ୍ଲାସ୍‌ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯାଇଛି। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ।

ସେହିପରି ମେ ୪ରେ ଓଡ଼ିଆ ବିଷୟରୁ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ମେ ୪ରେ ଇଂଲିଶରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଦଶମରେ ଗୋଟିଏ ସିଫ୍ଟ ଓ ଦ୍ୱାଦଶରେ ୨ଟି ସିଫ୍ଟରେ ପରୀକ୍ଷା ହେବ।ଦଶମ ପରୀକ୍ଷା ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱାଦଶ ପରୀକ୍ଷା ୧୦ଟା ୩୦ରୁ ୧ଟା ୩୦ ଓ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ।

You might also like