ଚଳିତ ବର୍ଷ ୮୦ ମାର୍କର ପରୀକ୍ଷା ଦେବେ ମାଟ୍ରିକ ଛାତ୍ର ଛାତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ ମ୍ୟାଟ୍ରିକ ଛାତ୍ରଛାତ୍ରୀ। ତେବେ ଏଥି ମଧ୍ୟରୁ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ। କିନ୍ତୁ ପରୀକ୍ଷାଫଳ ପ୍ରକାଶ କରାଯିବା ସମୟରେ ୧୦୦ ମାର୍କରୁ ହିଁ କରାଯିବ।୮୦ରୁ ରଖିଥିବା ମାର୍କକୁ ଭିତ୍ତି କରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏହାସହ ବିଦ୍ୟାଳୟ ଓ ଯୁକ୍ତ୨ କଲେଜ ହଷ୍ଟେଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୋୖଣସି ନିଷ୍ପତ୍ତି ହୋଇନାହିଁ। ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ଥିବା ବେଳେ ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଗତକାଲି ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ସ୍କୁଲ ଯିବେ। ଆସନ୍ତା ମେ’ ମାସରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡିଦେଲେ ଅନ୍ୟ ପିଲାମାନେ ଅନଲାଇନରେ ହିଁ ପାଠ ପଢିବେ ବୋଲି ସୂଚନା ରହିଛି।

ତେବେ ମ୍ୟାଟ୍ରିକ ପରୀକ୍ଷା କେବେ ସେଇ ଚିନ୍ତାରେ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ପାଇଁ ଖବର। ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖରେ ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।

କେଉଁ ଦିନ କେଉଁ ବିଷୟ ରହିଛି ?

ଫେବୃଆରୀ ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ୨୨ରେ ଇଂରାଜୀ ପରୀକ୍ଷା ହେବ। ୨୪ତାରିଖରେ ସଂସ୍କୃତ/ହିନ୍ଦୀ ପରୀକ୍ଷା ହେବ। ଏହାପରେ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ। ମାର୍ଚ୍ଚ ୨ରେ ପରୀକ୍ଷାର ଶେଷ ଦିନ ଥିବା ବେଳେ ଏହି ଦିନ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପରୀକ୍ଷା ସମୟ ସକାଳ ୧୦ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଏଥର ରହିଛି ଖୁସି ଖବର । ସେମାନଙ୍କୁ ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟ ସମୟ ମିଳିବ ବୋଲି ଜଣାଯାଇଛି।

ତେବେ ଚଳିତ ବର୍ଷ କରୋନା ଲାଗି ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

 

You might also like