୨୬ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ଜୁଲାଇରେ ବାହାରିବ ରେଜଲ୍ଟ

ଭୁବନେଶ୍ୱର: କରୋନା ଓ ବାତ୍ୟା ସ୍ଥିତି ସତ୍ତ୍ୱେ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ।  ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। HSC, SOSC ଓ ମଧ୍ୟମା ପାଇଁ ଖାତା ମୂଲ୍ୟାୟନ ଆରମ୍ଭ ହେବ।

ପୂର୍ବ ନିଷ୍ପତ୍ତି ଅନୁସାରେ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ସିଫ୍ଟରେ ଖାତା ଦେଖା ହେବ ଏବଂ ଗୋଟିଏ ଖାତାକୁ ଜଣେ ଶିକ୍ଷକ ଦେଖିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ୧୦ କିଲୋମିଟର ଭିତରୁ ମୂଲ୍ୟାୟନକାରୀ ଆସିବେ।  ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍ ଗାଇଡଲାଇନ ପାଳନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ମୂଲ୍ୟାୟନ ସୁବ୍ୟବସ୍ଥିତ କରିବାକୁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ଏବଂ ମୂଲ୍ୟାୟନ କେନ୍ଦ୍ର ପାଇଁ ନୋଡାଲ ଅଫିସର ପଠାଇବାକୁ କୁହାଯାଇଛି। ଆଜି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଏନେଇ ମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି।

ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ କଲେଜ ଆଡମିଶନରେ ଯେପରି କିଛି ସମସ୍ୟା ନହୁଏ, ସେଥିପାଇଁ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଥମେ କରୋନା ଲକଡାଉନ ଓ ପରେ ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ପୁଣି ଖାତା ଦେଖାକୁ ସ୍ଥଗିତ ରଖାଯାଇଥିଲା।

You might also like