୨୦୧୫ରୁ ଆଜିଯାଏଁ ଗୋଟିଏ ଗଛ ଲଗାଇନି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ

ହେଲେ ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ୪୫ ଲକ୍ଷ

କେବଳ ତାର ଜାଲି ପାଇଁ ୪୫ ଲକ୍ଷ !
ସୂଚନା ଅଧିକାର ଆଇନରୁ ମିଳିଲା ତଥ୍ୟ

ବ୍ରହ୍ମପୁର : ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣର ଦାୟିତ୍ୱ ବହନ କରୁଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ଆଶ୍ଚର୍ଯ୍ୟର କଥା ବିଡିଏ ତାର ପରିଧରେ ଆସୁଥିବା ଅଞ୍ଚଳରେ ୨୦୧୫ ମସିହାରୁ ଆଜି ଯାଏଁ ଗୋଟିଏ ବି ଗଛ ଲଗାଇ ନାହିଁ । କିନ୍ତୁ ବିିଭିନ୍ନ ଅନୁଷ୍ଠାନ ତରଫରୁ ପୋତା ଯାଇଥିବା ଗଛର ସୁରକ୍ଷା ପାଇଁ ଜାଲି ବାବଦକୁ ଖର୍ଚ୍ଚ କରିଛି ୪୫ ଲକ୍ଷ ଟଙ୍କା । ସୂଚନା ଅଧିକାର ଆଇନ ବଳରେ ମିଳିଛି ଏଭଳି ତଥ୍ୟ, ଯାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି ।

ବ୍ରହ୍ମପୁର ସହରରେ ବହୁ ଗଛ ଲାଗିଛି। ଗଛର ସୁରକ୍ଷା ପାଇଁ ଜାଲି ମଧ୍ୟ ହୋଇଛି । ହେଲେ ଗୋଟିଏ ବି ଗଛ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲଗାଯାଇନାହିଁ । ଆରଟିଆଇରୁ ମିଳିଥିବା ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହି ଗଛ ଚାରିପଟେ ଲଗାଯାଇଥିବା ତାର ଜାଲି ପାଇଁ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ମୋଟ ୪୫ ଲକ୍ଷ ଟଙ୍କା । ୨୦୧୭-୧୮ରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୫-୧୬, ୧୬-୧୭ ଓ ୧୮-୧୯ରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଛି । ପରିବେଶବିତଙ୍କ କହିବା କଥା  ବିଡିଏ ଯଦି ଗଛଟିଏ ଲଗାଇନି ତେବେ ସେ ତାର ଦାୟିତ୍ୱ ନେବାର ପ୍ରଶ୍ନ ଉଠୁଛି କେଉଁଠୁ ।

ସେପଟେ ଖର୍ଚ୍ଚ ହୋଇଥିବା ୪୫ ଲକ୍ଷ ଟଙ୍କାର ତଦନ୍ତ ଆବଶ୍ୟକ ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ଓ ପରିବେଶବିତ୍ । ସୂଚନା ଅଧିକାର କର୍ମୀ ପୀତବାସ ପଣ୍ଡା କହିଛନ୍ତି, ତାରି ଜାଲି ପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବିଡିଏକୁ କିଏ କହିଲା । କେଉଁ ଆଧାରରେ ଏହି ଖର୍ଚ୍ଚ କରାଗଲା । ଗଛ ଲଗାଇ ନାହାନ୍ତି, କିନ୍ତୁ ତାରଜାଲି ପାଇଁ ଖର୍ଚ୍ଚ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହାର କୌଣସି ଯଥାର୍ଥତା ନାହିଁ । 

ତେବେ ଏନେଇ ସେହି ସମୟରେ ଥିବା ବିଡିଏ ଅଧ୍ୟକ୍ଷ କହିଛନ୍ତି ଯେ, ବିଡିଏ ବହୁ ଗଛ ଲଗାଇଛି । କିନ୍ତୁ ବନ ବିଭାଗ ପକ୍ଷରୁ ମିଳିଥିବା ଗଛକୁ ସେମାନେ ଲଗାଇଛନ୍ତି । ଅନ୍ୟପଟେ ତାର ଜାଲିରେ କିଛି ଦୁର୍ନୀତି ହୋଇନଥିବା ଉଭୟ ତତ୍କାଳୀନ ବିଡିଏ ଅଧ୍ୟକ୍ଷ ଓ ତତ୍କାଳୀନ ବ୍ରହ୍ମପୁର ବିଧାୟକ ସ୍ପଷ୍ଟ କରିଛନ୍ତି ।

 

 

You might also like