ଶିମିଳିପାଳ ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ଅଛି-ମୁଖ୍ୟମନ୍ତ୍ରୀ

ବାରିପଦା: ୪ ଦିନ ହେଲା ଜଳୁଛି ଶିମିଳିପାଳ।  ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାମରେ ହଜାରେରୁ ଅଧିକ ଲୋକ ଲାଗିଛନ୍ତି ସେମାନଙ୍କ ମଧ୍ୟରୁ ୮୫୦ଜଣ ବନ ବିଭାଗ କର୍ମଚାରୀ ଅଛନ୍ତି । ଅଭୟାରଣ୍ୟର ଚନ୍ଦନଚତୁରୀ, ଡିଗଡିଗା, ଡୁକରା, ପୋଡ଼ାଡିହା, ଠାକୁରମୁଣ୍ଡା ଏବଂ ବରେଇପାଣି ଭଳି ୭ଟି ରେଞ୍ଜରେ ନିଆଁ ଲାଗିଯାଇଛି।

ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧିନରେ ଥିବା ଜଙ୍ଗଲ ଜଳୁଛି। ପତ୍ରଝଡା ଋତୁରେ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ବେଳେ ନିଆଁ ଏବେ ଗୋଟିଏ ପାହାଡରୁ ଡେଇଁ ଅନ୍ୟ ପାହାଡ଼ ବ୍ୟାପୁଥିଲା। ବିଶେଷ କରି ଅଭୟାରଣ୍ୟର ଦକ୍ଷିଣ ଭାଗରେ ଥିବା ପୋଡ଼ାଡିହା ରେଞ୍ଜ ଅନ୍ତର୍ଗତ ଆନନ୍ଦପୁର, ଖଣ୍ଡାଚିରା ଓ ବାଲିନାଲ ପାହାଡ଼ରେ ତିନି ଦିନ ହେଲା ନିଆଁ ଲାଗିଛି।

ସେହିପରି ଉତ୍ତରପଟେ ଥିବା ଠାକୁରମୁଣ୍ଡା ରେଞ୍ଜର ମିଟୁଆଣି, କେନ୍ଦୁମୁଣ୍ଡି ଜଙ୍ଗଲ ମଧ୍ୟ ଜଳୁଛି ନିଆଁର ପ୍ରକୋପ ଧିରେ ଧିରେ ବଢୁଥିବାରୁ ଜଙ୍ଗଲରେ ଥିବା ବଡ଼ବଡ଼ ଗଛ ଜଳିଯିବା ଆଶଙ୍କା ରହିଛି । ନିଆଁ ଯୋଗୁଁ ବହୁ ଔଷଧୀୟ ବୃକ୍ଷ ଜଳି ନଷ୍ଟ ହୋଇଗଲାଣି। ନିଆଁ ଅନବରତ ଜଳୁଥିବାରୁ ସ୍ଥାନୀୟ ଲୋକେ ଓ ଜଙ୍ଗଲ ଜନ୍ତୁ ଭୟଭୀତ ହୋଇପଡିଛନ୍ତି ।

ଏ ନେଇ ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା ଭଞ୍ଜଦେଓ ଟ୍ୱିଟ୍ କରି ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ଲେଖିଥିଲେ, ଶିମିଳିପାଳରେ ସପ୍ତାହେ ଧରି ଭୟଙ୍କର ନିଆଁ ଲାଗିଛି। ୫୦ କେଜି ହାତୀଦାନ୍ତ ମିଳିଛି। ବାଲି ଓ କାଠର ବେଆଇନ୍ ଚୋରା ଚାଲାଣ ବି ଚାଲିଛି। କେବଳ କିଛି ରାଜ୍ୟ ଗଣମାଧ୍ୟମକୁ ଛାଡ଼ିଲେ ଜାତୀୟସ୍ତରର କୌଣସି ଗଣମାଧ୍ୟମ ଏସିଆର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଜଳୁଥିବା ଖବର ସଂଗ୍ରହ କରୁନାହାନ୍ତି। ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରିବା ପରେ ନିଆଁ ଲିଭା କାମ ଜୋରଦାର କରାଯାଇଥିଲା।

ଏହି ଖବର ଜାଣିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ଶିମିଳିପାଳ ଅଭୟାରଣ୍ୟର ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଏଥସହ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି ।

ମୁଖ୍ୟମନ୍ତ୍ରୀ କହିଥିଲେ,  ଶିମିଳିପାଳ କେବଳ ଓଡିଶା ବା ଭାରତର ନୁହେଁ ଏହା ସମଗ୍ର ବିଶ୍ୱର ଏକ ଅମୂଲ୍ୟ ସମ୍ପଦ ।  ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହିତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁରେ କୌଣସି ଜୀବନହାନି ଘଟିନାହିଁ ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ SOP ଜାରି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

You might also like