ବ୍ୟାପକ ହେବ କରୋନା ଟେଷ୍ଟ: ଯେଉଁ ଜିଲ୍ଲାରେ ଆଦୌ ପଜିଟିଭ୍ କେଶ୍ ନାହିଁ ସେଠିବି ନିଆଯିବ ସାମ୍ପୁଲ

ଭୁବନେଶ୍ୱର: ସଂକ୍ରମଣ ବ୍ୟାପିବା ପୂର୍ବରୁ ଏହାକୁ ଶୀଘ୍ର ଚିହ୍ନଟ କରାଯାଇ କରୋନାକୁ ଚେକ୍ ଦେବାକୁ ରାଜ୍ୟ ସରକାର ଷ୍ଟ୍ରାଟେଜୀ ଆପଣାଇଛନ୍ତି। ଏପରିକି ଯେଉଁ ଜିଲ୍ଲାରେ ଆଦୌ ପଜିଟିଭ୍ କେଶ୍ ନାହିଁ, ସେଠାରେ ମଧ୍ୟ ଆଗାମୀ ଦିନରେ ବ୍ୟାପକ ଭାବେ ନମୁନା ପରୀକ୍ଷା ହେବ। ଏଥିପାଇଁ ଯେଉଁ ପୁଲ୍ ଟେଷ୍ଟ ହେବ, ସେ ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ଦିନକୁ ଦିନ ରାଜ୍ୟରେ ସାଂପୁଲ୍ ଟେଷ୍ଟିଂ କ୍ଷମତା ବଢୁଥିବା ବେଳେ ଗତକାଲି ଗୋଟିଏ ଦିନରେ ୧୧୯୭ଟି ସାଂପୁଲ୍ ଟେଷ୍ଟ କରାଯାଇଥିଲା।

ଓଡ଼ିଶାରେ ପ୍ରକୃତରେ କରୋନା ପଜିଟିଭ୍ ସଂଖ୍ୟା କେତେ? ବିଭିନ୍ନ ଜିଲ୍ଲାକୁ ଏହା କେତେଦୂର ସଂକ୍ରମଣ କରିଛି? ବାସ୍ତବ ସ୍ଥିତି ଜାଣିବାକୁ ହେଲେ ବ୍ୟାପକ ସାମ୍ପଲ୍ ଟେଷ୍ଟ କରିବାକୁ ପଡ଼ିବ। ରାଜ୍ୟ ସରକାର ଦେଇଥିବା ତାରିଖ ଓ୍ୱାରୀ ସାଂପୁଲ୍ ଟେଷ୍ଟିଂ ତଥ୍ୟରେ ଫେବ୍ରୁଆରୀ ପହିଲାରେ ୪ଟି ସାମ୍ପୁଲ ଟେଷ୍ଟ ହୋଇଥିବାବେଳେ ଏପ୍ରିଲ ୧୫ ତାରିଖରେ ଏହି ସଂଖ୍ୟା ୧୧୯୭ ଛୁଇଁଥିଲା।

ରାଜ୍ୟରେ ଏବେ ୯ଟି ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ହଟ୍‌ସପଟ୍‌ ଅର୍ଥାତ ରେଡ୍ ଜୋନ୍ ତାଲିକାରେ ରହିଛି ଖୋର୍ଦ୍ଧା ଓ କ୍ଲଷ୍ଟର ହଟ ସ୍ପଟ୍ ତାଲିକାରେ ରହିଛି ଭଦ୍ରକ। ସେହିଭଳି ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ନନ୍ ହଟସ୍ପଟ୍ ଜିଲ୍ଲା ତାଲିକାରେ ରହିଛନ୍ତି।

ଏହାବାଦ୍ ଆଦୌ ପଜିଟିଭ୍ କେସ୍ ବାହାରିନଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ନମୁନା ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି। ଏସବୁ ଅଣପ୍ରଭାବିତ ଜିଲ୍ଲାରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ଜଣଙ୍କର ସାମ୍ପଲ ଟେଷ୍ଟ ହେବ। ଏବେ ସୁଦ୍ଧା ପ୍ରାୟ ୮୦ ପ୍ରତିଶତ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ତେଣୁ ପ୍ରକୃତ ଚିତ୍ର ଜାଣିବା ପାଇଁ ଜିଲ୍ଲା ସ୍ତରରେ ବ୍ୟାପକ ପରୀକ୍ଷା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଯେତେ ଶୀଘ୍ର ଆକ୍ରାନ୍ତ ଚିହ୍ନଟ ହେବେ, ସେତେ ଶୀଘ୍ର କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର କହିଛନ୍ତି।

ରାଜ୍ୟରେ ଏବେ ସରକାରୀ ସ୍ତରରେ ଆର୍‌ଏମ୍ଆରସି, ଏମ୍ସ, ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ୍ କଲେଜ୍, ରାଉରକେଲାସ୍ଥିତ ଆଇଜିଏଚ୍ ଓ ଭୁବନେଶ୍ୱର ILSରେ କୋଭିଡ୍-୧୯ ଟେଷ୍ଟ କରାଯାଉଛି।

ଘରୋଇ ହସ୍‌ପିଟାଲ ଭାବେ ଆପୋଲୋକୁ ମଧ୍ୟ ଟେଷ୍ଟ ପାଇଁ ଅନୁମତି ଦିଆଯାଇଛି। ତେବେ ଆଗାମୀ ଦିନରେ ପୁଲ୍ କୋଭିଡ୍ ଟେଷ୍ଟ ଅର୍ଥାତ ଗୋଷ୍ଠୀଗତ ପରୀକ୍ଷା ହେବ। କରୋନା ମୁକାବିଲା ନେଇ ଉଚ୍ଚ କ୍ଷମତା ସଂପନ୍ନ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ପୁଲ୍ ଟେଷ୍ଟ ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବୁର୍ଲା ଭିମ୍‌ସାର୍‌ରେ ଶୀଘ୍ର ନମୁନା ପରୀକ୍ଷା ଆରମ୍ଭ ହେବ। ଏବଂ ଅନ୍ୟ ମେଡ଼ିକାଲ୍ କଲେଜ୍‌ଗୁଡ଼ିକରେ ଏହି ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ନିକଟରେ ଓଡ଼ିଶା ଦାବି ରଖିଛି।

ସାରା ରାଜ୍ୟରେ ୨ ଲକ୍ଷ କିଟ୍ ଆଣି ରାପିଡ୍ ଟେଷ୍ଟ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି। ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକରେ ମଧ୍ୟ କେବଳ ପଜିଜିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନୁହଁନ୍ତି, ଗୁରୁତର ଶ୍ୱାସ ରୋଗୀ ଓ ଥଣ୍ଡା, ସର୍ଦ୍ଦି ଭଳି ଲକ୍ଷଣ ଥିବା ଲୋକଙ୍କର ମଧ୍ୟ ଟେଷ୍ଟ କରିବାକୁ ଯୋଜନା କରାଯାଉଛି।

You might also like