୫ ଖଣ୍ଡ ବାଉଁଶ ବାନ୍ଧି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା !

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମହାମାରୀବେଳେ ମହାଲୁଟ୍ ହୋଇଛି। ଲକଡାଉନ୍ ସମୟରେ ସରକାରୀ ଅର୍ଥ ଆତ୍ମସାତ୍‌ରେ ଅସାଧୁ ଅଫିସର କେମିତି ମାତିଥିଲେ, ଏ ନେଇ ବଲାଙ୍ଗୀରରୁ ସାଂଘାତିକ ଅଭିଯୋଗ ସାଙ୍ଗକୁ ତଥ୍ୟଗତ ପ୍ରମାଣ ଆସିଛି। ସହରର ବିଭିନ୍ନ ପଡ଼ାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ କେମିତି ବ୍ୟାରିକେଡ୍ ଲଗା ବାବଦରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛି, ଇଏ ତାର ଦସ୍ତାବିଜ୍।

୫ରୁ ୧୦ ଖଣ୍ଡ ଲେଖାଏଁ ବାଉଁଶ ବାନ୍ଧି ବିଲ୍ କରାଇ ଉଠାଇଛନ୍ତି ଲକ୍ଷାଧିକ ଟଙ୍କା। ପୂର୍ତ୍ତ ବିଭାଗର ତଥ୍ୟ କହୁଛି- ୭ଟି ପଡ଼ାରେ ଏ ବାବଦରେ ୪ଲକ୍ଷ ୩୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏଠି ପ୍ରଶ୍ନ ସତରେ କଣ ଏତେ ଟଙ୍କା ଖର୍ଚ୍ଚ ହୋଇଛି? ଜାଣିବା ପାଇଁ ଟିକେ ଲକଡାଉନ୍ ବେଳକୁ ଯିବା, ହାତୀଶାଳପଡ଼ା ବସ୍ତି ଅଞ୍ଚଳ ସହ ଏଇଠୁ ସହରର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା।

ପାଞ୍ଚରୁ ଦଶ ଖଣ୍ଡ ବାଉଁଶ ପକାଇ ଏଠାରେ ପ୍ରଶାସନ ଲଗାଇଥିଲା ବ୍ୟାରିକେଡ୍ କିନ୍ତୁ ସେ ବାବଦରେ କୁଆଡ଼େ ୨ଲକ୍ଷ ୪୨ ହଜାର ୪୧୬ ଟଙ୍କା ଖର୍ଚ୍ଚ ହୋଇଛି। ଠିକ୍ ସେମିତି ଠିକାଦାର ପଡ଼ାରେ ୫ରୁ ୭ଖଣ୍ଡ ବାଉଁଶରେ ବ୍ୟାରିକେଡ୍ ଲଗାଯାଇ ୩୯ ହଜାର ୪୫୬ଟଙ୍କା  ବିଲ୍ ହୋଇଛି। ରୁଗୁଡ଼ିପଡ଼ାର ବ୍ୟାରିକେଡ୍‌ରେ କୁଆଡ଼େ ୨୦ ହଜାର ୨୬ ଟଙ୍କାର ବାଉଁଶ ଲାଗିଛି।

ସେମିତି ବେହେରାପାଲ୍ଲୀରେ ୨୩ ହଜାର ୬୦୩ଟଙ୍କା, ସୁଦପଡ଼ାରେ ୨୩ ହଜାର ୯୮୪, ରାଧାରାଣୀପଡ଼ାରେ ୧୧ ହଜାର ୭ଶହ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଏମିତିକି CGST ଓ SGST ବାବଦରେ ୪୬ ହଜାରରୁ ଅଧିକ ଟଙ୍କାକୁ ମିଶାଇ ମୋଟ୍ ୪ଲକ୍ଷ ୩୩ ହଜାର ୨ଶହ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗେଞ୍ଜି ହୋଇଥିବା ଏ ଦୁର୍ନୀତିକୁ କିନ୍ତୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି।

ସମୁଦାୟ ୫୦ଟି ବାଉଁଶ ଲାଗିଛି। କିନ୍ତୁ ଏନେଇ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କିପରି ହେଲା। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନହେଲେ ହାତୀଶାଳପଡ଼ା ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବେ।
-ଗୋବିନ୍ଦ ଶତପଥୀ, ହାତୀଶାଳପଡ଼ା ବାସିନ୍ଦା
ଆମେ ଯେତେବେଲେ ଅସୁବିଧାରେ ଥିଲୁ, ଏଇ ପଇସା ସେତେବେଳେ ଆମ ପାଇଁ ଖର୍ଚ୍ଚ ହୋଇପାରିଥାନ୍ତା। ଏହି ଦୁର୍ନୀତିରେ ଉପରୁ ତଳ ପର୍ଯ୍ୟନ୍ତ ଉପରୁ ତଳ ପର୍ୟ୍ୟନ୍ତ ସମସ୍ତେ ଲିପ୍ତ ଅଛନ୍ତି। 
-ଶତ୍ରୁଘ୍ନ ବାଗ, ସ୍ଥାନୀୟ ବାସିନ୍ଦା

ଏଠି ପ୍ରଶ୍ନ- ବଲାଙ୍ଗିର ସହରରେ ବ୍ୟାରିକେଡ୍ ନାଁରେ ଏ ମହାଲୁଟ୍ ପଛରେ କେବଳ ପୂର୍ତ୍ତ ବିଭାଗ ନା ପୁରା ପ୍ରଶାସନ ସାମିଲ୍ ଅଛନ୍ତି ? କାରଣ ଶହେ କି ଦୁଇ ଶହ ଟଙ୍କାର ଛଅରୁ ୧୦ ଖଣ୍ଡ ବାଉଁଶ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଲାବେଳେ ଇଂଜିନିୟରଙ୍କଠୁ ଉପ-ଜିଲ୍ଲାପାଳ ଏମିତିକି ଜିଲ୍ଲାପାଳଙ୍କ ଯାଏଁ କେହି ଜଣେ ହେଲେ କେମିତି ଜାଣି ପାରିଲେନି?

ଆଉ ବିଲ୍ ଉପରେ ସମସ୍ତେ ବି ସହଜରେ ଦସ୍ତଖତ ଦେଇଛନ୍ତି। ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରେ ସେ କୁଆଡ଼େ ସେତେବେଳେ ଏଠି ନଥିଲେ କହି ମୁଣ୍ଡରୁ ଦୋଷ ଖସାଇ ଦେଇଥିବାବେଳେ ଜିଲ୍ଲାପାଳ କହିଛନ୍ତି ଭୁଲ୍ ଥିଲେ ନିଶ୍ଚେ କାର୍ଯ୍ୟାନୁଷ୍ଠାନ ହେବ।

କୋଭିଡ୍ ସମୟରେ ମୁଁ ଏଠାରେ ନଥିଲି।  ମୁଁ ଏବେ ଜଏନ୍ କଲି। କେବଳ ବାଉଁଶ ପାଇଁ ନୁହେଁ, ଆଉ କଣ ଅତିରିକ୍ତ କାମ ହୋଇଛି, ତାହା ଦେଖିବାକୁ ପଡ଼ିବ। ସମସ୍ତ ବ୍ୟୟ ଦେଖିଲେ ତାହା ଜଣାପଡିବ। 
-ବିଭୁଦେନ୍ଦ୍ର ମେହେର, ଅଧୀକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ବଲାଙ୍ଗିର

 

ଏହା ହେଉଛି ଅସ୍ଥାୟୀ କାର୍ଯ୍ୟ। ଏହା ପୂର୍ତ୍ତ ବିଭାଗ ହିଁ ଉତ୍ତର ଦେଇପାରିବ। ଯଦି ଏଥିରେ କୌଣସି ତ୍ରୁଟି ରହେ ତାହାହେଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ। 
-ଚଞ୍ଚଲ ରାଣା, ଜିଲ୍ଲାପାଳ, ବଲାଙ୍ଗିର
You might also like