ପୁଅର ମୃତ୍ୟୁ ପରେ ମା’ ଓ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ: ଆଉ ଜଣେ ପୁଅ ପରେ ଆଖି ବୁଜିଲେ ମା’, ଭଉଣୀ

ଝାରସୁଗୁଡ଼ା: ଘରର ଜଣେ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ବୁର୍ଲା ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୁଅର ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଉଣୀ ପିଙ୍କି ବିଶ୍ୱାଳ(୩୧) ଓ ମା’ ପୁଷ୍ପାବତୀ ବିଶ୍ୱାଳ(୫୮)।

ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିଲା। ଘରର ଜଣେ ପୁଅ(ଦୀପକ)ର ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାରର ସଦସ୍ୟ। ପୁଅର ଶବ ଘରେ ପଡ଼ି ଥିବାବେଳେ ପରିବାରର ଅନ୍ୟ ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମା’ ପୁଷ୍ପାବତୀ ବିଶ୍ୱାଳ, ୩ ଭଉଣୀ ଓ ଭାଇ(ଶ୍ରୀକାନ୍ତ) ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଶ୍ରୀକାନ୍ତଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗୁରୁତର ମା’ ଓ ୨ ଭଉଣୀଙ୍କୁ ପ୍ରଥମେ ଝାରସୁଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲା। ଗତରାତିରେ ଭଉଣୀ ପିଙ୍କିଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳେ ମା’ ପୁଷ୍ପାବତୀଙ୍କ ମୃତ୍ୟୁ ଘଟିଛି। ଏବେ ଆଉ ୨ ଭଉଣୀ ବୁର୍ଲା ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଥାଉ କି, ଗତ ୧ ତାରିଖରେ ଦୀପକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏମାନେ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

You might also like