ବିବାହରେ ସାମିଲ ହୋଇଥିଲେ ୨୦୦ରୁ ଅଧିକ ଲୋକ, ହଠାତ୍‌ ଦୌଡ଼ି ପଳାଇଲେ…

ବାସୁଦେବପୁର: କରୋନା କଟକଣାକୁ ଫୁ’ କରି ୫୦ ଲୋକଙ୍କ ବଦଳରେ ଏକାଠି ହେଲେ ୨୦୦ରୁ ଅଧିକ ଲୋକ। ପୋଲିସ୍‌ର ବିନା ଅନୁମତିରେ ଏକାସଙ୍ଗେ ବିବାହ ନିମନ୍ତେ ମନ୍ଦିରରେ ପହଞ୍ଚିଥିଲେ ୨୦ରୁ ଅଧିକ ଯୋଡ଼ି। ଖବର ପାଇ ପୋଲିସ୍‌, ତହସିଲଦାର ପହଞ୍ଚିବା ପରେ ବର କନିଆଙ୍କ ସମେତ ସେମାନଙ୍କର ସମ୍ପର୍କୀୟମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ସହରର ବାଲିନଗର ଯାଦବ ପଡିଆର ରାଧାକୃଷ୍ଣ ମନ୍ଦିରରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ।

ସୂଚନା ଅନୁଯାୟୀ, ବିବାହ ସମୟରେ ସାମାଜିକ ଦୂରତାକୁ ଧ୍ୟାନ ଦେଇ ୫୦ ଲୋକଙ୍କୁ ଏକତ୍ରିତ ହେବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ବାଲିନଗର ଯାଦବ ପଡିଆର ରାଧାକୃଷ୍ଣ ମନ୍ଦିରରେ ୨୦ରୁ ଅଧିକ ଯୋଡି ବିବାହ ନିମନ୍ତେ ଏକାଠି ହୋଇଥିଲେ। ସେମାନଙ୍କ ସମ୍ପର୍କୀୟମାନେ ବି ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଲୋକଙ୍କ ଗହଳି ଏତେ ମାତ୍ରାରେ ଥିଲା ଯେ, ହଠାତ୍‌ ଜଣେ କେହି ଯଦି ଏହି ଦୃଶ୍ୟକୁ ଦେଖିବେ ମେଳା ଚାଲୁ ଥିବାର ଭ୍ରମ ସୃଷ୍ଟି ହେବ। ୨୦୦ରୁ ଅଧିକ ଲୋକ ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଖାଲି ଏତିକି ନୁହେଁ ଲୋକଙ୍କ କୋଳାହଳରେ ପୂରା ପରିବେଶ ସତେ ଯେମିତି ଫାଟି ପଡ଼ୁଥିଲା। କିଛି ଲୋକଙ୍କ ମୁହଁରେ ମାସ୍କ ଥିବାବେଳେ ଆଉ କିଛି ଲୋକ ବିନା ମାସ୍କରେ ବୁଲୁଥିବା ନଜର ମଧ୍ୟ ଆସିଥିଲା।

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ବର କନିଆଙ୍କ ସମେତ ସେମାନଙ୍କର ସମ୍ପର୍କୀୟମାନେ ଛତ୍ରଭଙ୍ଗ ଦେଇଥିଲେ। ହଠାତ୍‌ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପୋଲିସ୍‌ ମଧ୍ୟ କିଛି ଲୋକଙ୍କୁ ଘଉଡାଇ ଥିଲା।

ଦିନକୁ ଦିନ ମହାମାରୀ କରୋନା ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ଜୁଲାଇ ପ୍ରାରମ୍ଭରୁ ଏହା ସାଂଘାତିକ ରୂପ ଧାରଣ କରିଛି। ଏସବୁ ସତ୍ତ୍ୱେ ଲୋକମାନେ ଚେତୁ ନାହାନ୍ତି।

You might also like