ସରିଲା ବାହାଘର: ଝିଅ ଗଲା ଶାଶୂ ଘର, ପୁଅ ଗଲା ଜେଲ୍
ଚୌଦ୍ୱାର: ବିବାହ ପରେ କନ୍ୟା ଶାଶୂ ଘରକୁ ଯାଇଥିବା ବେଳେ ଜେଲ୍ ଗଲା ବର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଟକ ଚୌଦ୍ୱାରରେ। ଚୌଦ୍ୱାର ସର୍କଲ ଜେଲ୍ରେ ଥିବା ଜଣେ ଅଭିଯୁକ୍ତଙ୍କ ନିଆରା ଢଙ୍ଗରେ ବାହାଘର ହୋଇଛି। ବିବାହ ପରେ ନବବଧୂ ଶାଶୂ ଘରକୁ ଫେରିଥିବା ବେଳେ ଅଭିଯୁକ୍ତ କଏଦୀ ଅର୍ଥାତ୍ ବର ଜେଲ୍କୁ ଯାଇଥିଲେ। ଭୋଜିଭାତ ସାଙ୍ଗକୁ କେକ୍ କାଟି ଧୁମ୍ଧାମ୍ରେ ବିବାହ କାର୍ଯ୍ୟ ହୋଇଥିଲା। ବିବାହ ସମୟରେ କନ୍ୟା ଓ ବର ଉଭୟ ପକ୍ଷର ପରିବାର ଲୋକ, ଜେଲ୍ର ବରିଷ୍ଠ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଭରୁଙ୍ଗାବାଡିର ୨୪ ବର୍ଷୀୟ ଯୁବକ ଓ କିରିକିଆ ଗାଁର ଜଣେ ୧୮ ବର୍ଷୀୟା ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା ଓ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ହେଲେ ପରେ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ। ଯୁବକଙ୍କ ପରିବାର ଲୋକ ଯୁବକଙ୍କ ବିବାହ ଅନ୍ୟତ୍ର କରିବା ପାଇଁ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଏହା ଜାଣିପାରି ଉକ୍ତ ଯୁବତୀ ଗତ ନଭେମ୍ବରରେ ଗୁରୁଡିଝାଟିଆ ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଚୌଦ୍ୱାର ଜେଲ୍କୁ ପଠାଇଥିଲେ। କିନ୍ତୁ ଯୁବତୀ ଜଣକ ଏହି ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସ୍ପେଶାଲ ପୋକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। କୋର୍ଟରେ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବା ସହ ଓ ୩ ମାସର ଶିଶୁକୁ ଆପଣାଇବା ପାଇଁ ରାଜି ହୋଇଥିଲେ। ଏହାପରେ ବିବାହ ପାଇଁ ଜେଲ୍ରେ ପ୍ରସ୍ତୁତି କରାଯାଇ ଉଭୟ ପରିବାର ଲୋକଙ୍କ ସମ୍ମତିକ୍ରମେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବିବାହ ପରେ ଯୁବତୀ ଜଣକ ଶାଶୂ ଘରକୁ ଯାଇଥିବା ବେଳେ ଯୁବକ ଜଣକ ଜେଲ୍ ଯାଇଥିଲେ।
ଆହୁରି ପଢନ୍ତୁ: ଥାନା ଭିତରେ କିରୋସିନ ଢାଳି ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ