କରୋନା ପାଇଁ….ସ୍ୱାମୀ-ସ୍ତ୍ରୀର ପରିଚୟ ପାଇଲେ ପ୍ରେମୀଯୁଗଳ

ପୁରୀ: କରୋନା ଯେତେ ଦୁଃଖଦ ଅନୁଭୂତି ଆଣୁନା କାହିଁକି, ସୌରଭ-ପିଙ୍କିଙ୍କ ପାଇଁ କିନ୍ତୁ ସ୍ମରଣୀୟ ହୋଇ ରହିବ। ତାଙ୍କ ପ୍ରେମକୁ ଦିନେ ପରିବାର ଲୋକେ ଏଡାଇ ଦେଲେ। ପ୍ରେମକୁ ସଫଳ କରିବା ପାଇଁ ଉପାୟ ନ ପାଇ ଉଭୟେ ସମାଜ ଆଖିରୁ ଲୁଚି ଲୁଚି ପଳାଇଥିଲେ। ହେଲେ ଆଜି କରୋନା ପାଇଁ ସେଇ ସମାଜ ତାଙ୍କୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇଛି।

ପୁରୀ ଜିଲ୍ଲା ନିମାପଡା ଶଗଡା ଅଞ୍ଚଳର ସୌରଭ ଓ ପିଙ୍କିରାଣୀ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ ପିରବାର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ। ଉଭୟଙ୍କ ବାହାଘର ପାଇଁ ରାଜି ହୋଇ ନ ଥିଲେ। ଶେଷରେ କିଛି ଉପାୟ ନ ପାଇ ଉଭୟେ ଘରୁ ଲୁଚି ଗୁଜରାଟ ପଳାଇଥିଲେ।

ମାତ୍ର ଲକ୍‌ଡାଉନ୍ ପରେ ନାନା ଅସୁବିଧାର ସମ୍ମୁଖୀନ ହେବା ପରେ ଦୁଇଜଣ ପୁଣି ଗାଁକୁ ଫେରିଥିଲେ ।ଗତ ୧୦ ତାରିଖ ଏଠାରେ ପହଞ୍ଚିବା ପରେ ଉଭୟଙ୍କୁ ଶଗଡ଼ା ସ୍ଥିତ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା।

କ୍ୱାରେଣ୍ଟିନ୍ ସେଣ୍ଟରରେ ୧୪ ଦିନ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରେମୀ ଯୁଗଳ । ପ୍ରଥମେ ସେମାନଙ୍କର ନମୂନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିବା ପରେ ନିକଟସ୍ଥ ଏକ ମଣ୍ଡପରେ କରୋନା କଟକଣା ଭିତରେ ବିବାହ ସଂପନ୍ନ ହୋଇଛି ।

ସ୍ଥାନୀୟ ବାସିନ୍ଦା, ଆଶାକର୍ମୀ, ଅଙ୍ଗନବାଡି ଦିଦି, କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉଦ୍ୟମରେ ହୋଇଛି ବିବାହ ।

You might also like