ସିଲ୍ ହେଲା ମାର୍କେଟ ବିଲ୍ଡିଂ, ଏକାଥରେ ୪ ଦିନ ଯାଏଁ ବନ୍ଦ..

ଭୁବନେଶ୍ୱର: ସିଲ ହେଲା ମାର୍କେଟ ବିଲ୍ଡିଂ। କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ ଏହାକୁ ସିଲ କରାଯାଇଛି। DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ତେବେ ବୁଧବାର ସନ୍ଧ୍ୟାରୁ ଏହାକୁ ସିଲ୍ କରାଯାଇଛି। ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବ ବୋଲି କୁହାଯାଉଛି। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ ରଖୁନଥିବା ଏବଂ ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମସିର ଡେପୁଟି କମିଶନର ମାର୍କେଟ ବିଲଡିଂ ସିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ରାଜଧାନୀରେ ଏବେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧ ହଜାର ୪୪ ନୂଆ ଆକ୍ରାନ୍ତ। ଯାହା ଭିତରୁ ୮୨୫ ଲୋକାଲ କେସ ପଟିଆ ଅଞ୍ଚଳରୁ ସର୍ବାଧିକ ୬୪ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗୋଟିଏ ପଟେ ରାଜଧାନୀରେ ବ୍ୟବସାୟୀମାନେ ରୋଜଗାର ଆଶାରେ କୋଭିଡ ନିୟମ ଉଲଂଘନ କରୁଥିବା ବେଳେ ସେପଟେ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଗଞ୍ଜାମ ବ୍ୟବସାୟୀ ଅଣ୍ଟା ଭିଡ଼ିଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଦିନ ୨ଟାରୁ ପରଦିନ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ନିଷ୍ପତ୍ତି ନେଇଛି। ସଂଘ ପକ୍ଷରୁ ବୁଧବାରଠାରୁ ଆସନ୍ତା ୧୦ ଦିନ ଯାଏଁ ଏଭଳି କଟକଣା ପାଳିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ। ବ୍ୟବସାୟୀ ସଂଘର ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଜନସାଧାରଣଙ୍କୁ ଏଥିରେ ସହଯୋଗ କରିବାକୁ ଅପିଲ୍ କରିଛି ଜିଲ୍ଲା ପ୍ରଶାସନ।

ସେପଟେ କଳାହାଣ୍ଡି ବଣିକ ସଂଘ ମଧ୍ୟ ପୂରା ଜିଲ୍ଲାରେ ବୁଧବାରଠାରୁ ଆଗାମୀ ୫ ଦିନ ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପନିପରିବା, କ୍ଷୀର ଓ ଫଳ ଦୋକାନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ଦିନ ୧୦ଟା ଯାଏଁ ଖୋଲା ରହିବ ବୋଲି କୁହାଯାଉଛି। ତେବେ ବ୍ୟବସାୟୀଙ୍କ ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି। କାରଣ ରାଜ୍ୟରେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ିବାରେ ଲାଗିଛି ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିବା ସହ ସମସ୍ତଙ୍କୁ ସଚେତନ ରିହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ସମସ୍ତଙ୍କୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ପାଇଁ ଅପିଲ କରିଛନ୍ତି।

You might also like