ବାହାଘରରେ ଅତିଥିଙ୍କୁ ମାସ୍କ ଦେବେ ଆୟୋଜକ : ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ ହେବ ନବମ ଏକାଦଶ ପରୀକ୍ଷା

ଯାତ୍ରା ପାଇଁ ୨ହଜାର ଦର୍ଶକଙ୍କୁ ଅନୁମତି

ଭୁବନେଶ୍ୱର : ବିବାହ ଉତ୍ସବରେ ଆସିଥିବା ଅତିଥିଙ୍କୁ ମାସ୍କ ଦେବେ ଆୟୋଜକ। ରାଜ୍ୟରେ କରୋନା ମହାମାରୀ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛିନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫ଶହ ଲୋକଙ୍କୁ ଅନୁମତି ଦିଆଯାଇଛି। ତେବେ ଏପରି ସାମୁହିକ କାର୍ଯ୍ୟରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ମାନିବେ ଆୟୋଜକ, ନେହେଲେ କଡ଼ା ଦଣ୍ଡବିଧାନ ରହିଛି । ତେବେ ବାହାଘରରେ ଆୟୋଜକ ସମସ୍ତ ପ୍ରବେଶ ପଥରେ ଉପସ୍ଥିତ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଏଥର ଗାଇଡଲାଇନରେ କଳାକାରଙ୍କ ପାଇଁ ଆସିଛି ଖୁସି ଖବର। ପେଟପାଟଣା ପାଇଁ କଳାକାର ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବାରୁ, ଏହାକୁ ଦୃଷ୍ଟିରେ ରଖି ଯାତ୍ରା ପାଇଁ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି।  ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ହଜାର ଦର୍ଶକଙ୍କୁ ଅନୁମତି ମିଳିଛି । ତେବେ ଏଥିପାଇଁ ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରଖିବାକୁ କୁହାଯାଇଥିବା ବେଳେ ରୋଗାକ୍ରାନ୍ତଙ୍କୁ ଯାତ୍ରା ମନା ହୋଇଛି। ସେହିପରି ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି । ଅଧିକରୁ ଅଧିକ ଟିକେଟ କାଉଣ୍ଟର କଲେ ଭିଡ଼ ନଜମିବ ନାହିଁ, ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ତେବେ ଯାତ୍ରାରେ କଟକଣା ଉଲ୍ଲଂଘନ ହେଲେ ଦାୟୀ ରହିବେ ଆୟୋଜକ। ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଅନ୍‌ଲାଇନ୍‌ରେ ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ କହିଛନ୍ତି ସରକାର। ସମାନ ସ୍କୁଲରେ କ୍ଲାସ ପ୍ରମୋସନ ପାଇଁ ବାର୍ଷିକ ପରୀକ୍ଷା କରିବାକୁ କୁହାଯାଇଛି। ଅଭିଭାବକଙ୍କ ସହ କଥା ହୋଇ ଅନଲାଇନରେ ପରୀକ୍ଷା କରିବାକୁ  ପରାମର୍ଶ ଦଆଯାଇଛି। ସଂକ୍ରମଣ ଦୃଷ୍ଟିରୁ କ୍ଲାସ ପ୍ରମୋସନ ପରୀକ୍ଷା ଅନଲାଇନରେ କରିବା ଉପଯୁକ୍ତ ହେବ।

You might also like