ସୋଶାଲ୍ ମିଡିଅାରେ ଭାଇରାଲ ହେଉଛି ଘଞ୍ଚ ଜଙ୍ଗଲରେ ଗରିଲା ତାଲିମ୍‌ ଭିଡିଓ

ଭୁବନେଶ୍ୱର: ସୋଶାଲ୍ ମିଡିଆରେ ବୁଲୁଛି ମାଓବାଦୀଙ୍କ ଯୁଦ୍ଧ କୌଶଳ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲାଲ ବାହିନୀ ଟ୍ରେନିଂ କ୍ୟାମ୍ପର ଚିତ୍ର ଭାଇରାଲ ହେବାରେ ଲାଗିଛି। ପୁଲିସକୁ ଟକ୍କର ଦେବାକୁ ମାଓ କ୍ୟାମ୍ପରେ କେମିତି ଦିଆଯାଉଛି ଗରିଲା ଯୁଦ୍ଧର ତାଲିମ ଗୋଟି ଗୋଟି ଦୃଶ୍ୟ ରହିଛି ଏ ଭିଡିଓରେ। ଛତିଶଗଡ଼ ସୁକମା ଜିଲ୍ଲା ଦୁର୍ନିପାଲ ଅଞ୍ଚଳରୁ ଏ ଭିଡିଓ ମାଓବାଦୀଙ୍କ ଦ୍ୱାରା ସୋଶାଲ୍‌ ମିଡିଆରେ ଛଡ଼ାଯାଇଥିବା ଅନୁମାନ କରାଯାଉଛି।

ଗତ ୬ ତାରିଖ ଦିନ ଛତିଶଗଡ଼ ପୁଲିସ ଓ ସିଆରପିଏଫ୍‌ର ମିଳିତ ଅପରେସନରେ ଟଳି ପଡ଼ିଥିଲେ ୧୫ ମାଓବାଦୀ। କୁହାଯାଉଛି ସେହି ମାଓ ଅପରେସନ ସମୟର ଭିଡିଓ ଭାଇରାଲ ହେବା ପରେ ଏହାକୁ କାଉଣ୍ଟର କରିବାକୁ ଲାଲବାହିନୀ ଏଭଳି ଭିଡିଓ ଛାଡ଼ିଛନ୍ତି। ଏଠି ପ୍ରଶ୍ନ ଉଠୁଛି ନିଜକୁ ଶକ୍ତିଶାଳୀ, ସକ୍ରିୟ ଦର୍ଶାଇବା ସହ ସାଧାରଣରେ ଭୟ ସୃଷ୍ଟି କରିବାକୁ ମାଓବାଦୀ ଏଭଳି ଭିଡିଓ ଅପଲୋଡ୍ କରିଛନ୍ତି କି? ତେବେ ଏଭଳି ଭିଡିଓକୁ ନେଇ ସଜାଗ ହୋଇଛି ମାଲକାନଗିରି ପୁଲିସ।

ମାଓବାଦୀଙ୍କ ଯୁଦ୍ଧ କୌଶଳର ଏଭଳି ଭିଡିଓ କାହିଁକି ବୁଲୁଛି ସୋଶାଲ୍ ମିଡିଆରେ। କମ୍ବିଂ ଅପରେସନରେ ଯାଉଥିବା ସୁରକ୍ଷାକର୍ମୀଙ୍କ ପାଇଁ ଏହା ଚ୍ୟାଲେଞ୍ଜ କି ? ନୂଆ କାଡ୍ୟାରଙ୍କୁ ପ୍ରଭାବିତ କରିବାକୁ ଏହା ମାଓବାହୀଙ୍କ ଏକ ଅଭିନବ ଯୋଜନା ନୁହେଁ ତ ? ତେବେ ଏଭଳି ସ୍ଥିତିରେ ପୁଲିସ ମଧ୍ୟ ମାଓବାଦୀଙ୍କ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଜରୁରୀ ବୋଲି ମତ ଦେଇଛନ୍ତି ପୂର୍ବତନ ପୁଲିସ ଡିଜି।

You might also like