ଭବାନୀପାଟଣା: କଳାହାଣ୍ଡିରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଠିକାଦାରଙ୍କ ଗାଡ଼ି ପୋଡ଼ି ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମଦନପୁର ରାମପୁର ଥାନା ଅଞ୍ଚଳର ନୂଆମୁଣ୍ଡାରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି।
ଉର୍ଲାଦାନୀରୁ ଲହାଡ଼ିକୁ ସଂଯୋଗ କରୁଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଉଛି। ତେବେ ରାସ୍ତା ନିର୍ମାଣ କାମରେ ନିୟୋଜିତ ଠିକାଦାରଙ୍କ ୫ଟି ଟ୍ରାକ୍ଟର, ୨ଟି ଜେସିବି ଓ ମିକ୍ସର ମେସିନ୍ ମାଓବାଦୀ ପୋଡ଼ି ଦେଇଛନ୍ତି।
ନୂଆମୁଣ୍ଡାରେ ଠିକାଦାରଙ୍କ କ୍ୟାମ୍ପରେ ପଶି ୧୦ରୁ ୧୫ ଜଣ ମାଓବାଦୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ରାସ୍ତା ନିର୍ମାଣକୁ ବିରୋଧ କରି ପୋଡ଼ି ଦିଆଗଲା ବୋଲି ମାଓବାଦୀମାନେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି।