ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣି ଦଳରେ ଏକ ଘରିକିଆ ତାରା !

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ଆଭିମୁଖ୍ୟକୁ ନେଇ କଂଗ୍ରେସରେ କୁହୁଳୁଛି କନ୍ଦଳ। ଦଳରେ ଥାଇ, କାହା ସ୍ୱାର୍ଥ ପାଇଁ କାମ କରୁଛନ୍ତି ତାରା, ତାକୁ ନେଇ ପ୍ରଶ୍ନ ଉଠିଛି।

ବିଧାନସଭା ପ୍ରଶ୍ନୋତ୍ତର କାଳର ନିଚ୍ଛକ ସତ ଘଟଣା ଲୋକଙ୍କ ସାମ୍ନାକୁ ଆଣିଥିବା ଓଟିଭି ବିରୋଧରେ ତାରା କାହିଁକି ସ୍ୱାଧୀକାର ଭଙ୍ଗ ନୋଟିସ୍‌ ଆଣିଲେ, ଏହାକୁ ନେଇ କଂଗ୍ରେସ ଦଳର ଜଣକ ପରେ ଜଣେ ନେତା ମୁହଁ ଖୋଲୁଛନ୍ତି। ତେବେ ତାରା କାହା ଚାପ ଅଥବା ପ୍ରରୋଚନାରେ ଏପରି କଲେ ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।

ଏଥିପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।

ଦଳର ଏହି ବରିଷ୍ଠ ନେତା ନିଜ ଦଳ ପାଇଁ ନା ଆଉ କାହା ସ୍ୱାର୍ଥ ପାଇଁ ବିଧାନସଭାରେ ଓଟିଭି ବିରୋଧରେ ଉଠାଇଛନ୍ତି ସ୍ୱର?

ବିଧାନସଭା ପ୍ରଶ୍ନକାଳରେ ଯେଉଁ ଦୃଶ୍ୟ ଦେଖାଯାଇଥିଲା ତାହା, ତାରାଙ୍କୁ କାହିଁକି ସ୍ୱାଧିକାର ଭଙ୍ଗ ଭଳି ମନେ ହେଲା?

ଏହି ପ୍ରଶ୍ନ ଏବେ ସାଧାରଣ ଜନତାଙ୍କୁ ନୁହେଁ, ବରଂ ଖୋଦ କଂଗ୍ରେସର ବରିଷ୍ଠ ନେତାଙ୍କୁ ବି ଚକିତ କରିଛି।

ଏପରିକି ତାରାଙ୍କ ଏ ପଦକ୍ଷେପକୁ ସରକାରୀ ଦଳ ପ୍ରାୟୋଜିତ କହିବା ସହ, ଗଣମାଧ୍ୟମର କଣ୍ଠରୋଧ ପାଇଁ ତାରାଙ୍କୁ ବିଜେଡି ମୋହରା କରିଥିବା ଦଳର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି।

ଅନ୍ୟପଟେ ତାରାଙ୍କ ନିର୍ବାଚନମଣ୍ଡଳୀର ଛାମୁଆ ନେତାଙ୍କଠୁ ନେଇ ବୁଦ୍ଧିଜୀବୀଙ୍କୁ ବି ହଜମ ହୋଇପାରୁନି ତାରାଙ୍କର ଏଭଳି ଦୃଷ୍ଚିଭଙ୍ଗୀ। ସେମାନେ ବି ବିଧାୟକଙ୍କ ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି।

ଏଣେ ତାରା ଯେଉଁ ପ୍ରସଙ୍ଗରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି, ତା’ର ଆଇନଗତ ଦିଗକୁ ନେଇ ବି ପ୍ରଶ୍ନ ଉଠାଇଛି ବିଜେପି। ଦଳ କହିଛି, ବାଚସ୍ପତିଙ୍କ କାର୍ଯ୍ୟକୁ ପ୍ରଭାବିତ କରିଥିବା ବ୍ୟକ୍ତି ଗୃହର ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି। ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ମନୋଭବ ଦେଖାଉଛନ୍ତି। ତେଣୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ତାରାଙ୍କ ସ୍ୱାଧିକାର ନୋଟିସ୍ କଂଗ୍ରେସର ନୁହେଁ ବୋଲି ପୂର୍ବରୁ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି ପିସିସି ସଭାପତି, କଂଗ୍ରେସ ରାଜ୍ୟସଭା ସାଂସଦ, ଖୋଦ୍ ଦଳୀୟ ବିଧାୟକ ଓ ଅନ୍ୟ ବରିଷ୍ଠ ନେତା।

ଅନ୍ୟପଟେ ପୂର୍ବରୁ ଗୃହରେ ତାରାଙ୍କ କାର୍ଯ୍ୟକଳାପକୁ ଦେଖିଲେ ଏବେ ବିଧାନସଭା ମର୍ଯ୍ୟାଦା ନେଇ ତାଙ୍କ ଚିନ୍ତା ଅନେକ ପ୍ରଶ୍ନ ଛିଡ଼ା କରୁଛି।

You might also like